ପାଣିରେ ବୁଡି ରହି ଗଜା ହେଲାଣି ଧାନ, ଚାଷୀ ମୁଣ୍ଡରେ ଚଡ଼କ
କାକଟପୁର: ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷୀର ଭାତହାଣ୍ଡିକୁ । ବର୍ଷା ଛାଡି ଚାଲିଗଲାଣି କେବେଠାରୁ କିନ୍ତୁ ଚାଷୀର କ୍ଷେତରୁ ଆଜି ପର୍ଯ୍ୟନ୍ତ ଶୁଖିନି ପାଣି । ବର୍ଷା ପାଣିରେ ବୁଡିରହି ଧାନର ରଙ୍ଗ ପରିବର୍ତ୍ତନ ହୋଇଗଲାଣି । ବୁଡିରହିଥିବା ଧାନରୁ ଗଜା ବାହାରି ଗଲାଣି । ସେହି ଉଜୁଡା ଚାଷ ଜମିରୁ ପାଣିରୁ ଛାଣି ନେବାକୁ ଚେଷ୍ଟା କରୁଛି ଚାଷୀ । ଉଜୁଡା ଚାଷଜମିରୁ ଉଧାର କରିଥିବା ଧାନକୁ ଶୁଖାଇ ଚାଷୀ ଭାଇ ଧାନ ଅମଳ କରୁଥିବା ଚିତ୍ର ଦେଖିବାକୁ ମିଳିଛି । ଧାନ ଅମଳ କରି ବସ୍ତାରେ ଧାନକୁ ଭର୍ତ୍ତି କରି ଘରେ ସାଇତି ରଖିଥିବା ବେଳେ ପାଣି ଭିଜା ଧାନର ମାନ କମିଛି,ଯାହା ମଣ୍ଡି ସେହି ଧାନକୁ ନେବା ନ ନେବା ଉପରେ ଭରସା ପାଉନି ଚାଷୀ ମାନଙ୍କର । ଏପଟେ ଏ ପର୍ଯ୍ୟନ୍ତ ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳରେ ଧାନମଣ୍ଡି ଖୋଲିପାରି ନାହିଁ ।
ଯାହାକୁ ନେଇ ଚାଷୀମାନେ ଆଶା ଓ ଆଶଙ୍କା ରେ ରହିଛନ୍ତି । ଉଜୁଡା ଧାନ କ୍ଷେତରୁ ଉଧାର କରିଥିବା ଧାନକୁ ଚାଷୀ ଅମଳ କରି ବାଧ୍ୟ ହୋଇ ଘରୋଇ ବ୍ୟବସାୟୀଙ୍କୁ ଶାଗ ମାଛ ମୂଲ୍ଯରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ସରକାରୀ ମଣ୍ଡି ରେ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୩୧୦୦ ଟଙ୍କା ରହିଥିବା ବେଳେ ଗାଁ ରେ ଘର ଘର ବୁଲି ଧାନ କିଣୁଥିବା ବ୍ୟବସାୟୀ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୧୮୦୦ \୧୯୦୦ ଟଙ୍କା ରେ ଧାନ କିଣି ନେଉଛନ୍ତି । ଯାହାଦ୍ଵାରା ଚାଷୀମାନେ ଧାନର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ।
ଚାଷୀଭାଇ ମାନେ ବିଭିନ୍ନ ବ୍ଯାଙ୍କ ଏବଂ ଟଙ୍କା ଲଗାଣକାରୀ ସଂସ୍ଥାଠାରୁ ଋଣ ଆଣି ହଜାର ହଜାର ଟଙ୍କା ବ୍ୟୟରେ ଚଳିତ ଖରିଫ ଧାନ ଚାଷ କରିଥିଲେ । ଧାନ ଅମଳ ସମୟରେ ଲଘୁଚାପ ଜନିତ ଅଦିନିଆ ବର୍ଷା ଅସ୍ତରଙ୍ଗ ଏବଂ କାକଟପୁର ଅଞ୍ଚଳର ହଜାର ହଜାର ଚାଷୀଙ୍କ ପାଇଁ ଆଣି ଦେଇଛି ବିଷମ ପରିସ୍ଥିତି । ଚାଷୀ ମାନଙ୍କର ବର୍ଷକର ଭାତହାଣ୍ଡିକୁ ଘରକୁ ଆଣିବା ସମୟରେ ଉଜୁଡା କ୍ଷେତରୁ ସଂଗ୍ରହ କରାଯାଇଥିବା ଧାନକୁ ଚାଷୀ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି । ଯାହା ଚାଷୀ ଭାଇ ମାନେ ଆଣିଥିବା ଋଣ କିପରି ପରିଶୋଧ କରିବେ ସେହି ଆଶଙ୍କାରେ ଦିନ କାଟୁଛନ୍ତି ଚାଷୀ । ସରକାରୀ ମଣ୍ଡି ଏ ପର୍ଯ୍ୟନ୍ତ ନ ଖୋଲିବା ଯୋଗୁଁ ,ଚାଷୀ ମାନଙ୍କୁ ଶାଗ ମାଛ ଦରରେ ଅମଳ କରିଥିବା ଧାନକୁ ବିକ୍ରିକରିବାକୁ ବାଧ୍ୟ କରୁଛି ।
ଅଦିନିଆ ବର୍ଷାର କଷଣ ସାଙ୍ଗକୁ ଏବେ ଧାନର ଅଭାବି ବିକ୍ରି ଚାଷୀ ମାନଙ୍କ ସମସ୍ୟା କୁ ଅଧିକ ବଢାଇ ଦେଇଛି । ଏହି ସମସ୍ୟା ରେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି ନିମ୍ନ ମଧ୍ୟମିତ ଏବଂ ଭାଗଚାଷୀ । କ୍ଷୟକ୍ଷତି ଆକଳନରେ ପ୍ରଶାସନିକ ଅଧିକାରୀ ମାନେ ରାସ୍ତା ଉପରୁ ଚାଷ ଜମିକୁ ଦେଖି ଚାଲିଯାଉଥିବା ବେଳେ ଏଥିରୁ ଅନେକ ପ୍ରକୃତ ଚାଷୀ ବାଦ ପଡିବାର ଆଶଙ୍କା କରୁଥିବା ବେଳେ ଅଭାବି ଧାନ ବିକ୍ରି ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି ।