ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ: ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦୁର୍ଲଭ ପଦ୍ମ ବେଶ । ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ପରମ୍ପରା ଅନୁଯାୟୀ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ, ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି ।

ଆଜି ରାତିରେ ବଡସିଂହାର ନୀତିରେ ମହାପ୍ରଭୁ ପଦ୍ମବେଶରେ ସଜିତ ହେବେ । ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିପାରିବେ ଭକ୍ତ । ଦୀର୍ଘ ୨୫ ବର୍ଷ ପରେ ପଡିଥିବା ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ଦର୍ଶନାର୍ଥୀ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ନିଜ ଚର୍ମଚକ୍ଷୁରେ ଦେଖିବାର ସୁଯୋଗ ପାଇବେ । ପ୍ରତି ରବିବାର ସାନିଟାଇଜ୍‌ କରାଯିବା ହେତୁ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହୁଥିବା ବେଳେ ଆସନ୍ତାକାଲି ଅର୍ଥାତ ନୂଆ ଏସଓପି ଅନୁଯାୟୀ ରବିବାର ମନ୍ଦିର ଖୋଲା ରହିବ ।

ସେପଟେ ଆଜି ଶ୍ରୀଜୀଉଙ୍କର ଦୈନନ୍ଦିନ ନୀତି ହୋଇ ସଂନ୍ଧ୍ୟାଧୂପ ସମାପନ ପରେ ବେଶ ମଇଲମ ହୋଇ ଚନ୍ଦନଲାଗି ହେବ । ଏହାପରେ ବଡଛତା ମଠ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ରାତ୍ର ପହୁଡ଼ ହେବ । ତେବେ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଭକ୍ତଙ୍କ ମହଲରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.