ମେଘ ବରଷିଲା ଟୁପୁରୁ ଟୁପୁରୁ… ଭଳି ଅନେକ ଓଡ଼ିଆ ଗୀତ ଗାଇଛନ୍ତି ବାଣୀ ଜୟରାମ

ଭୁବନେଶ୍ୱର (କେନ୍ୟୁଜ୍‌) : ଦିନେ ଓଡ଼ିଆ ସିନେମା ଜଗତରେ କେବଳ ତାଙ୍କରି ସ୍ୱର ଶୁଣିବାକୁ ମିଳୁଥିଲା । କେତେ କେତେ ହିଟ୍‌ ଗୀତ ଗାଇଛନ୍ତି ସେ । ଦକ୍ଷିଣ ଭାରତୀୟ ଫିଲ୍ମରୁ ଆରମ୍ଭ କରି ଓଡ଼ିଆ ସମେତ ବିଭିନ୍ନ ଭଷାରେ ସେ ଗୀତ ଗାଇଛନ୍ତି । ଶାସ୍ତ୍ରୀୟ ସଂଗୀତ ସହ ବ୍ୟାବସାୟିକ ସଂଗୀତ ଉଭୟ କ୍ଷେତ୍ରରେ ବାଣୀ ଜୟରାମ ଜଣେ ଜଣାଶୁଣା ନାମ । ଆଜି ତାଙ୍କର ମୃତ୍ୟୁ ହୋଇ ଯାଇଛି । ତେବେ ତାଙ୍କ କଣ୍ଠସ୍ୱର ଏବେବି ୟୁଟ୍ୟୁବରୁ ଖୋଜିଲେ ମିଳିଯିବ ।
ବାଣୀ ଜୟରାମଙ୍କ ଗୀତ ମଧ୍ୟରେ ଶେଷ ଶ୍ରାବଣର ମେଘ ବରଷିଲା ଟୁପୁରୁ ଟୁପୁରୁ, ହାୟରେ ହାୟ ଗରଜେ ମେଘ ଘୁମ୍‌ ଘୁମ୍‌, ବନ୍ଧୁ ମହାନ୍ତି ସିନେମାରେ ମା ବିରଜାଙ୍କ ଉପରେ ମା ଗୋ ମମତାମୟୀ ମାତା, ନଯା ସଜନୀ ପାହିନି ରଜନୀ, ପାଇଛି ଏ ଜୀବନରେ ତୁମ ପାଦେ ସ୍ୱର୍ଗ ମୋର, ଅବୁଝା ମନକୁ ବୁଝାଇବ କିଏ, ବଗିଚାରେ ଫୁଲ ଫୁଲରେ ସୁରଭି, ଲୁଚିଛି ମୁଁ ଲୁଚିଛି ଗୋଡ଼ ଦିଇଟା ଦିଶୁଛି । ହୀରା ମୋତି ମାଣିକ ଫିଲ୍ମରେ ଝୁମୁ ଝୁମୁ ନୁପୂର ବାଜେ ଝୁମି ଝୁମି ମୟୁର ନାଚେ, ସତୀ ଅନସୂୟାରେ ଭାଗ୍ୟ ମୋର ସତେକି ମିଳିବ ଦର୍ଶନ.. । ଏମିତି ଅନେକ ଓଡ଼ିଆ ଗୀତ ସେ ଗାଇ ଶ୍ରୋତାଙ୍କ ମନରେ ଏବେବି ରହିଛନ୍ତି ।

ସେହିପରି ହିନ୍ଦୀ ଫିଲ୍ମରେ ମଧ୍ୟ ଅନେକ ଗୀତ ସେ ଗାଇଛନ୍ତି । ଜୟା ବଚ୍ଚନଙ୍କ ‘ଗୁଡ୍ଡି’ ଫିଲ୍ମରେ ବୋଲେରେ ପପିହରା ବହୁତ ହିଟ୍‌ ହୋଇଥିଲା । ଏହି ଫିଲ୍ମର ହମକୋ ମନକି ଶକ୍ତି ଦେନା, ପୁଣି ମୀନା କୁମାରୀ ଅଭିନୀତ ଚଚ୍‌ିର୍ତ ଫିଲ୍ମ ପାକିଜାରେ ‘ମୋରା ସାଜନ’ ଗୀତ ସେ ଗାଇ ସମସ୍ତଙ୍କୁ ଅଭିଭୂତ କରି ଦେଇଥିଲେ । ଆହୁରି ମଧ୍ୟ ଏକ ମୁଠି ଆସମାନରେ ‘ପ୍ୟାର କଭି କମ୍‌ ନା କରନା ସନମ..’ ଗୀତଟି ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଥିଲା । ପୁଣି ‘ମୀରା’ ସିନେମାରେ ଯେତେବେଳେ ଲତା ମଙ୍ଗେସ୍କର ମୀରା ଭଜନ ଗାଇବାକୁ ମନା କରି ଦେଇଥିଲେ ସେତେବେଳ ଏହି ବାଣୀ ଜୟରାମ ହିଁ ସବୁ ଗୀତ ଗାଇଥିଲେ । ‘ମେରା ତୋ ଗିରଧର ଗୋପାଲ ଦୁସରୋ ନା କୋଇ..’ ।

ତାମିଲନାଡୁର ଭେଲୋରରେ ଜନ୍ମ ଗ୍ରହଣ କରିଥିବା ବାଣୀଜୟରାମ ନିକଟରେ ପଦ୍ମଭୂଷଣରେ ସମ୍ମାନିତ ହୋଇଛନ୍ତି । ୧୯୪୫ ମସିହା ନଭେମ୍ବର ୩୦ ତାରିଖରେ ତାଙ୍କର ଜନ୍ମ । ସେ ବିଭିନ୍ନ ଭାଷାରେ ଦଶ ହଜାରରୁ ଅଧିକ ଗୀତ ଗାଇଛନ୍ତି । ୧୯୭୧ ମସିହାରେ ତାଙ୍କର ସଂଗୀତ କ୍ୟାରିୟର ଆରମ୍ଭ ହୋଇଥିଲା । ଆଉ ଯାହା ପାଞ୍ଚ ଦଶନ୍ଧି ପରେ ଆଜି ଶେଷ ହୋଇଛି ।
ବାଣୀଜୟରାମଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସ୍ୱାମୀଙ୍କ ଦେହାନ୍ତ ପରଠାରୁ ଘରେ ଏକୁଟିଆ ରହୁଥିଲେ ବାଣୀ ଜୟରାମ। ଆଜି ତାଙ୍କ ଘରର ସହାୟିକା କବାଟ ବାଡେଇବା ପରେ କୌଣସି ଉତ୍ତର ମିଳିନଥିଲା। ପରେ ସେ ବାଣୀଙ୍କ ଭଉଣୀଙ୍କୁ ଖବର ଦେଇଥିଲେ। ନିଜ ବେଡ୍‌ରୁମରେ ତାଙ୍କୁ ଅଚେତ ଅବସ୍ଥାରେ ଥିବା ଦେଖି ପୋଲିସକୁ ଖବର ଦିଆଯାଇଥିଲା। ପରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଓ ଫରେନ୍‌ସିକ ଟିମ୍‌ ତାଙ୍କ ଘରେ ଛାନଭିନ ଆରମ୍ଭ କରିଛନ୍ତି।… ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ତାଙ୍କୁ ପଦ୍ମଭୂଷଣ ସମ୍ମାନ ଘୋଷଣା କରାଯାଇଛି। ବାଣୀ ଜୟରାମଙ୍କ ହଠାତ ବିୟୋଗ ସଙ୍ଗୀତ ଜଗତକୁ ସ୍ତବ୍‌ଧ କରିଛି। କ୍ୟାରିଅରରେ ସେ ୧୯ଟି ଭାଷାରେ ୧୦ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି।

ଶୁଣନ୍ତୁ ମେଘ ବରଷିଲା ଟୁପୁରୁ ଟୁପୁରୁ ଗୀତ, ବାଣୀଜୟରାମଙ୍କ କଣ୍ଠରେ..

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.