ପଦ୍ମଶ୍ରୀ ପୁରସ୍କାର ବିବାଦ ମାମଲା, କୌଣସି ପ୍ରମାଣ ନଥିବାରୁ ୧୦ ହଜାର ଟଙ୍କା ଜରିମାନା କଲେ ହାଇକୋର୍ଟ

 କଟକ : ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ ।  ସମାନ ନାମ ଥାଇ ଦୁଇ ଜଣ ବ୍ୟକ୍ତି ସାହିତ୍ୟ କ୍ଷେତ୍ରରେ ଘୋଷିତ ହୋଇଥିବା ପଦ୍ମଶ୍ରୀ ପୁରସ୍କାର ନିଜର ବୋଲି ହୋଇଥିବା ଦାବି ମାମଲାରେ ଦଣ୍ଡିତ ହେଲେ କୋର୍ଟରେ ମିଥ୍ୟା ମକଦ୍ଦମା କରିଥିବା ଅନ୍ତର୍ଯ୍ୟାମୀ ମିଶ୍ର ।  ପୁରସ୍କାର ପାଇବା ପାଇଁ କେନ୍ଦ୍ର ସରକାରଙ୍କ ପାଖରୁ କୌଣସି ଚିଠି ସେ ପାଇ ନାହାନ୍ତି ।

କୌଣସି ପ୍ରମାଣ ନଥାଇ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।  ହାଇକୋର୍ଟ ବାର ଆସୋସିଏସନର ଫଣ୍ଡରେ ଏହି ଜରିମାନା ଟଙ୍କା ପଇଠ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।  ଏହା ସହିତ ମାମଲାକୁ ଖାରଜ କରି ମାମଲାରେ ଅନ୍ତ ଘଟାଇଛନ୍ତି ଓଡିଶା ହାଇକୋର୍ଟ ।

ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।  ୨୦୨୩ ମସିହାରେ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନାମ ସାହିତ୍ୟ କ୍ଷେତ୍ରରେ କୃତିତ୍ବ ପାଇଁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଥିଲା ।  ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ନାମକ ଜଣେ ସ୍ତମ୍ଭକାର ଏହି ପୁରସ୍କାର ଗ୍ରହଣ କରିଥିଲେ ।  ତେବେ ସେ ପ୍ରକୃତ ଅନ୍ତର୍ଯ୍ୟାମୀ ମିଶ୍ର ସେ ନୁହେଁ ବୋଲି ହାଇକୋର୍ଟରେ ଏକ ପିଟିସନ କରିଥିଲେ ଅନ୍ତର୍ଯ୍ୟାମୀ ମିଶ୍ର ନାମକ ଜଣେ ଡାକ୍ତର।

ତାଙ୍କର ୨୯ ଟି ଓଡ଼ିଆ ପୁସ୍ତକ ଓ ଅନ୍ୟ ଭାଷାର ପୁସ୍ତକ ପ୍ରକାଶିତ ହୋଇଛି ବୋଲି ସେ ଦାବି କରିଥିଲେ ।  ଏ ନେଇ ସେ କେନ୍ଦ୍ର ସରକାର ପଦ୍ମଶ୍ରୀ ଗ୍ରହଣ କରିଥିବା ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ପକ୍ଷ କରି ଏହି ମାମଲା କରିଥିଲେ । ପଦ୍ମଶ୍ରୀ ଘୋଷଣା ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ସମସ୍ତ ପ୍ରକାର ତନଖି କାର୍ଯ୍ୟ ହେଉଥିବାରୁ ଏଭଳି ଦାବି ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ମାମଲାର ଶୁଣାଣି ସମୟରେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।

Also read: ହାଇକୋର୍ଟରେ ପଦ୍ମଶ୍ରୀ ପୁରସ୍କାର ବିବାଦ, ହାଜର ହେଲେ ଆବେଦନକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର