ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶେଷକୃତ୍ୟ

ଜୟପୁର : ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । କୋରାପୁଟ ଜିଲ୍ଲାର ପାତ୍ରପୁଟ ସ୍ଥିତ ନିଜ ଗାଁ ଶଶ୍ମାନରେ ଶେଷକୃତ୍ବ ସମ୍ପନ୍ନ ହୋଇଛି । କମଳା ପୂଜାରୀଙ୍କ ପୁଅ ଟଙ୍କଧର ପୂଜାରୀ ମୁଖାଗ୍ନି ଦେଇଛନ୍ତି । ଆଜି ସକାଳେ ଜୟପୁର ମେଡିକାଲରୁ ତାଙ୍କ ପାର୍ଥୀବ ଶରୀରକୁ ପାତ୍ରପୁଟ ଏକ ଶୋଭାଯାତ୍ରାରେ ନିଆଯାଇଥିଲା । ଶେଷକୃତ୍ୟ ସମୟରେ ସେଠାରେ କମଳାଙ୍କ ସମ୍ପର୍କୀୟଙ୍କ ସହ ଜିଲ୍ଲାପାଳ ଓ ଏସପି ଉପସ୍ଥିତି ଥିଲେ । ଅଧିକାରୀଙ୍କ ଉପସ୍ଥିତିରେ କମଳା ପୂଜାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା ।

ଗତକାଲି କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କମଳା ପୂଜାରୀ ଅନେକ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଗତ ମଙ୍ଗଳବାର ସେ ଅସୁସ୍ଥ ହେବା ପରେ ତାଙ୍କୁ ଜୟପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ସ୍ଥିତି ଅଧିକ ଖରାପ ହେବାରୁ ତାଙ୍କୁ ୨ ଦିନ ତଳେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଶନିବାର ସକାଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବିଶ୍ଵକୁ ବିରଳ କଳାଜିରା ପ୍ରଜାତିର ଧାନ ଉପହାର ଦେଇ ଜଣେ କୃଷି ବିଜ୍ଞାନୀ ହେବାର ସୌଭାଗ୍ୟ ଲାଭ କରିଥିଲେ କମଳା । ପାରମ୍ପରିକ ଧାନ କିସମ ଯଥା କଳାଜିରା, ବାୟାମଣ୍ଡା, ଆସାମଚୁଡ଼ି ଆଦିର ସଂରକ୍ଷଣ କ୍ଷେତ୍ରରେ କମଳା ପୂଜାରୀ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ । ୨୦୧୯ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ସେହିପରି ୨୦୧୯ ଜୁଲାଇ ୨ରେ ମର୍ଯ୍ୟାଦା ଜନକ କାଦମ୍ବିନୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।