ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ

ଜୟପୁର : ଆଜି ପଦ୍ମଶ୍ରୀ କମଳା ପୂଜାରୀଙ୍କ ହେବ ଶେଷକୃତ୍ୟ । ଗତକାଲି କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେବା ପରେ ବିଳମ୍ବିତ ରାତିରେ ଜୟପୁରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ଆଜି ମରଶରୀରକୁ ତାଙ୍କ ଗାଁ ପାତ୍ରପୁଟ ନିଆଯିବ । ସେହି ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ।

ସୂଚନା ଅନୁସାରେ ଗତକାଲି ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କମଳା ପୂଜାରୀ ଅନେକ ଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଗତ ମଙ୍ଗଳବାର ସେ ଅସୁସ୍ଥ ହେବା ପରେ ତାଙ୍କୁ ଜୟପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ସ୍ଥିତି ଅଧିକ ଖରାପ ହେବାରୁ ତାଙ୍କୁ ୨ ଦିନ ତଳେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଶନିବାର ସକାଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଥିଲା ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେହିପରି ଗତକାଲି ବିଧାୟକ ତାରା ପ୍ରସାଦ ବାହିନୀପତି , ବିଡ଼ିଓ ଓ ଅନ୍ୟ ପଦାଧିକାରୀମାନେ କମଳାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ବିଶ୍ଵକୁ ବିରଳ କଳାଜିରା ପ୍ରଜାତିର ଧାନ ଉପହାର ଦେଇ ଜଣେ କୃଷି ବିଜ୍ଞାନୀ ହେବାର ସୌଭାଗ୍ୟ ଲାଭ କରିଥିଲେ କମଳା । ପାରମ୍ପରିକ ଧାନ କିସମ ଯଥା କଳାଜିରା, ବାୟାମଣ୍ଡା, ଆସାମଚୁଡ଼ି ଆଦିର ସଂରକ୍ଷଣ କ୍ଷେତ୍ରରେ କମଳା ପୂଜାରୀ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଥିଲେ । ୨୦୧୯ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ସେହିପରି ୨୦୧୯ ଜୁଲାଇ ୨ରେ ମର୍ଯ୍ୟାଦା ଜନକ କାଦମ୍ବିନୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।