ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭରୁ ନୀତି ବିଭ୍ରାଟ , ୩ ଘଣ୍ଟା ବିଳମ୍ବରେ ଶେଷ ହେଲା ନୀତି

ପୁରୀ(କେନ୍ୟୁଜ୍) : ଆଜିଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ନୀତି ବିଭ୍ରାଟ ଦେଖାଦେଇଛି। ପାଳିଆ ପୁରସ୍କାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ଭିତରେ ଚାଲିଥିବା ବିବାଦର ସିଧାସଳଖ ପ୍ରଭାବ ଆଜି ପହିଲି ଭୋଗରେ ପଡ଼ିଛି। ଯେଉଁଥିପାଇଁ ରାତି ୩ଟାରେ ହେବାକୁ ଥିବା ଦ୍ବାରଫିଟା ନୀତି ୧ ଘଣ୍ଟା ୩୫ ମିନିଟ ବିଳମ୍ବରେ ଆରମ୍ଭ ହୋଇଛି। ସେହିପରି ସକାଳ ୬ଟା୫୦ରେ ସରିବାକୁ ଥିବା ପହିଲି ଭୋଗ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଶେଷ ହୋଇଛି। ଅନ୍ୟାନ୍ୟ ନୀତି ବି ବିଳମ୍ବିତ ହୋଇଛି।

Jagannath_Templeଶ୍ରୀମନ୍ଦିର ପହିଲି ଭୋଗ ନୀତି ମାସେ ପର‌୍ୟ୍ୟନ୍ତ ଅର୍ଥାତ୍ ଜାନୁଆରି ୧୩ ପର‌୍ୟ୍ୟନ୍ତ ଚାଲିବାକୁ ଥିବାବେଳେ ଆରମ୍ଭରୁ ଏଭଳି ବିଭ୍ରାଟ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ପୂର୍ବରୁ ନୀତି ସବକମିଟି ବୈଠକ ଓ ଗତକାଲି ଛତିଶା ନିଯୋଗ ବୈଠକ ପରେ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଥିଲା। ନୀତି ନିର୍ଘଣ୍ଟ ଅନୁଯାୟୀ, ନୂଆବର୍ଷ ଯୋଗୁ ଡିସେମ୍ବର ୩୧ ପହୁଡ଼ ଓ ପରେ ଦ୍ବାରଫିଟା ନୀତିରେ ସାମାନ୍ୟ ପରିବର୍ତନକୁ ବାଦ୍ ଦେଲେ ବାକି ସବୁଦିନର ନୀତି ସମାନ ରହିଥିଲା। ଚୂଡ଼ାନ୍ତ ନୀତି ଅନୁସାରେ, ରାତି ୩ଟାରେ ଦ୍ବାରଫିଟା ଓ ରାତି ୧୧ଟାରେ ପହୁଡ଼ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଅନ୍ୟାନ୍ୟ ନୀତି ଚୂଡ଼ାନ୍ତ ହୋଇଥିଲା। କିନ୍ତୁ ନୀତିରେ ପ୍ରାୟ ଦେଢ଼ ଘଣ୍ଟାରୁ ୩ ଘଣ୍ଟା ବିଳମ୍ବ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like