ଆଜି ପହିଲି ରଜ : ପୁରପଲ୍ଲୀରେ ଉତ୍ସବର ପରିବେଶ

ଭୁବନେଶ୍ବର : ଆଜି ପହିଲି ରଜ । ସବୁଠି ମଉଜ, ପୁରପଲ୍ଲୀରେ ଉତ୍ସବର ପରିବେଶ । ଘରୁ ଘରୁ ଭାସି ଆସୁଛି ପିଠାପଣା, ମିଠା ଓ ନାନା ବ୍ୟଞ୍ଜନର ବାସ୍ନା । ଗାଁ ଦାଣ୍ଡ ଦୁଲୁକୁଛି । ଘରେ ଘରେ ଏବେ ପୋଡ ପିଠାର ମହକ । ଝିଅ, ବୋହୂମାନେ ସଜେଇ ହୋଇ ନୂଆ ପୋଷାକ ପିନ୍ଧି ବୁଲୁଛନ୍ତି । ରଜ ଦୋଳି ଖେଳ  ବିନା ରଜ ଅଧୁରା । ତେଣୁ ଦୋଳିର ମଜା ନେଉଛନ୍ତି ସଭିଏଁ । ପାଗ ଅନୁକୂଳ ଥିବାରୁ ବିଭିନ୍ନ ସ୍ଥାନରେ ତାସ, ଲୁଡୁ, ପାଲିର ଆସର ଜମିଛି । ସେହିପରି କିଛି କବାଡ଼ି ସାଙ୍ଗକୁ ନାନା ପ୍ରତିଯୋଗିତା ଆୟୋଜନ କରାଯାଉଛି । ରଜର ଆଉ ଏକ ଆକର୍ଷଣ ହେଲା ପାନ। ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ପ୍ରୀତି ଓ ସଦ୍‌ଭାବନାର ପ୍ରତୀକ ଭାବେ ଲୋକଙ୍କ ମଧ୍ୟରେ ଖିଲି ପାନ ଦିଆନିଆ ହୋଇଥାଏ ।

ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ ।

ବାରମାସର ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ ରଜ ହେଉଛି ଏକ ନିଆରା ପର୍ବ । ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ବୃଷମାସର ଶେଷଦିନ ପହିଲି ରଜ, ମିଥୁନ ମାସର ପ୍ରଥମ ଦିନ ରଜ ସଙ୍କ୍ରାନ୍ତି, ତା’ପରଦିନ ଶେଷରଜ ବା ଭୂମିଦହନ ଭାବେ ପାଳିତ ହୋଇଥାଏ । ଏହି ତିନିଦିନ ଧରି ସମସ୍ତ ପ୍ରକାର କୃଷିକାର୍ଯ୍ୟ ବନ୍ଦ ରଖିବା ସହ ଧରିତ୍ରୀ ବା ମାଟି ମା’ଙ୍କୁ ବିଶ୍ରାମ ଦିଆଯାଇଥାଏ ।  ଭୂମିଦହନ ବା ଶେଷ ରଜର ପରବର୍ତ୍ତୀ ଦିନ ହେଉଛି ବସୁମତୀ ସ୍ନାନ । ବସୁମତୀ ସ୍ନାନ ଚାଷର ଆରମ୍ଭକୁ ସୂଚାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.