ବରୁଣେଇ ପାଦଦେଶରେ ପାଇକମେଳି, ସାମିଲ ହେବେ ୩ହଜାରରୁ ଅଧିକ ପାଇକ

ଖୋର୍ଦ୍ଧା(କେନ୍ଯୁଜ୍): ବରୁଣେଇ ପାଦଦେଶରେ ପାଇକମେଳି । ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପ୍ରସଙ୍ଗରେ ପାଇକମେଳିର ଆୟୋଜନ କରାଯାଇଛି। ସାମିଲ ହେବେ ୩ହଜାରରୁ ଅଧିକ ପାଇକ । ଖୋର୍ଦ୍ଧାରୁ ଏକ ବିଶାଳ ରାଲି ବାହାରି ଭୁବନେଶ୍ୱରରେ ପହଂଚି ଦେଖାଇବେ ପାଇକ ଆଖଡା ।

ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର କହିବା ପରେ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ୧୮୧୭ରେ ଓଡ଼ିଶାରେ ବ୍ରିଟିଶରାଜ ବିରୋଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ ପାଇକ। କିନ୍ତୁ ଏହି ବଳିଦାନକୁ ମାନ୍ୟତା ଦେବାକୁ କୁୁଣ୍ଠିତ ହେଉଛନ୍ତି । ଏହାକୁ ନେଇ ପାଇକ ସଂଘ କହିଛି, ଏହାକୁ ମାନ୍ୟତା ନଦେଲେ ଆଉ ଏକ ସଂଗ୍ରାମ ଆରମ୍ଭ ହେବ ।

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି ହୋଇଛି। ପାଠ୍ୟ ପୁସ୍ତକରେ ମଧ୍ୟ ଏହାକୁ ସାମିଲ କରାଯିବ । ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ବିବୃତ୍ତି ଖେର୍ଦ୍ଧାର ବିଭିନ୍ନ ସାମାଜିକ ସଙ୍ଗଠନକୁ ଆନ୍ଦୋଳନ କରିବାକୁ ବାଧ୍ୟ କରିଛି । ଆଜି ଖୋର୍ଦ୍ଧା ବରୁଣେଇ ପାହାଡ଼ରୁ ୩ହଜାରରୁ ଅଧିକ ପାଇକ ଏକାଠି ହୋଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ପହଁଚିବେ । ପରେ ରାମ ମନ୍ଦିର ଦେଇ ଏକାମ୍ର ହାଟ ନିକଟରେ ରାଲି ପହଁଚିବ ପ୍ରତିବାଦ ସଭା ଅନୁଷ୍ଠିତ ହେବ।