ପାକିସ୍ତାନୀ ମହିଳାଙ୍କୁ ଭୁବନେଶ୍ୱର ଛାଡି ଯିବା ପାଇଁ ନୋଟିସ୍ ଜାରି

ଭୁବନେଶ୍ୱର: ଓଡ଼ିଶାରୁ ସବୁ ପାକିସ୍ତାନୀ ବିଦା ହେବେ । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଓଡିଶାରେ ବାସ କରୁଥିବା ସବୁ ପାକିସ୍ତାନୀକୁ ଚିହ୍ନଟ କରାଯାଇଥିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏପଟେ ଭୁବନେଶ୍ୱରରେ ଥିବା ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡ଼ିବାକୁ ନୋଟିସ୍ ହୋଇଛି ।

ଯାହା ସୂଚନା ମିଳିଛି ମହମ୍ମଦ ନିଜାମୁଦ୍ଦିଁନ ଯିଏକି, ଭୁବନେଶ୍ୱର ନିବାସୀ । ସେ ବିବାହ କରିଥିଲେ ପାକିସ୍ତାନୀ ମହିଳାଙ୍କୁ । ଯାହାଙ୍କ ନାମ ନଗମା ୟୁସୁଫ । ୨୦୦୮ରେ ଇଣ୍ଟରନେଟରେ ହୋଇଥିଲା ପ୍ରେମ । ଏହା ପରେ ବିବାହ କରିଥିଲେ । ମହମ୍ମଦ ନିଜାମୁଦ୍ଦିଁନଙ୍କୁ ବିବାହ କରି ଦୀର୍ଘ ମିଆଦି ଭିସାରେ ଓଡିଶାରେ ରହୁଛନ୍ତି ନଗମା । ତାଙ୍କର କୌଣସି ସନ୍ତାନ ନାହିଁନ୍ତି ।

ତେବେ ତାଙ୍କର ଭିସା ଅବଧି ୨୦୨୪ରୁ ଶେଷ ହୋଇଥିବା ବେଳେ ଏଗ୍‌ଜିଟ ଭିସା ପାଇଁ କମିସନରେଟ ପୋଲିସ୍ ନିକଟରେ ଆବେଦନ କରିଥିଲେ । କିନ୍ତୁ ସେ ଆବେଦନ ପଡି ରହିଥିଲା । ଏବେ ପହଲଗାମ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବାବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ୱର ଛାଡି ଯିବା ପାଇଁ ପୋଲିସ୍ ନୋଟିସ୍ କରିଛି ।

ଏପଟେ ମହମ୍ମଦ ନିଜାମୁଦ୍ଦିଁନଙ୍କ ପ୍ରତିକ୍ରିୟା ନେଇଥିଲୁ । ସରକାରଙ୍କ ନେଇଥିବା ନିଷ୍ପତ୍ତି ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି । ଏହା ଏମର୍ଜେନ୍ସ ସିଚୁଏସନ୍, ସମସ୍ତଙ୍କୁ ବୁଝିବା ଦରକାର। ସରକାର ଯାହା ଉଚିତ୍ ମନେକରିଛନ୍ତି ଆମର କିଛି ଆପତ୍ତି ନାହିଁ । ଆମେ ସରକାରଙ୍କ ସହ ଅଛୁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣ ଘଟଣାରେ ଭାରତ ସରକାର ନେଉଛନ୍ତି କଡା ପଦକ୍ଷେପ । ଗୃହମନ୍ତ୍ରୀ ଅମିତ ଶାହ ଦେଶର ସମସ୍ତ ରାଜ୍ୟକୁ କରିଛନ୍ତି ଆଲର୍ଟ । ଭିସା ଯୋଗେ ପାକିସ୍ତାନରୁ ଭାରତ ଆସିଥିବା ନାଗରିକ ମାନକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପାକିସ୍ତାନ ଫେରିବା ପାଇଁ ଗାଇଡ଼ ଲାଇନ ଜାରି କରିଛି କେନ୍ଦ୍ର ସରକାର । ତେବେ ଏହାରି ଭିତରେ ଓଡିଶାରେ ୧୨ ଜଣ ପାକିସ୍ତାନ ନାଗରିକ ରହିଥିବା ନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରଯାଇଛି ।

ଆହୁରି ପଢନ୍ତୁ:ମୃତ ପ୍ରଶାନ୍ତ ଶତପଥୀଙ୍କ ଘରେ ପହଞ୍ଚିଲେ NIA ଟିମ୍‌, ପତ୍ନୀ ଓ ପୁଅଙ୍କୁ କରୁଛନ୍ତି ପଚରାଉଚରା