କାଲି ସୁଦ୍ଧା ଭୁବନେଶ୍ବର ଛାଡ଼ିବେ ପାକିସ୍ତାନୀ ମହିଳା : ଡିସିପି ଭୁବନେଶ୍ୱର

ଭୁବନେଶ୍ବର :  ପାକିସ୍ତାନୀ ଭାରତ ଛାଡ଼ିବା ପାଇଁ ଆଜି ସରୁଛି ଡେଡଲାଇନ। ୪୮ ଘଣ୍ଟାର ମହଲତ ପୁରିବା ପରେ ଏବେ ପାକିସ୍ତାନୀଙ୍କୁ ଘାରିଛି ଭାରତ ଛାଡ଼ିବା ଭୟ। ଓଡ଼ିଶାରେ ରହିଛନ୍ତି ୧୨ ପାକିସ୍ତାନୀ। ଭୁବନେଶ୍ବରରେ ଜଣେ ପାକିସ୍ତାନୀ ମହିଳା ନଗମା ୟୁସୁଫଙ୍କୁ ଏବେ ଭାରତ ଛାଡିବାକୁ ନୋଟିସ ଜାରି କରିଛି କମିସନରେଟ ପୋଲିସ। ଆସନ୍ତାକାଲି  (୨୭ ତାରିଖ ) ସୁଦ୍ଧା ଭାରତ ଛାଡ଼ିବାକୁ ନୋଟିସ ହୋଇଛି। ଇଣ୍ଟରନେଟରେ ପ୍ରେମ ହେବା ପରେ ନଗମା ଓଡ଼ିଶା ଆସି ୨୦୦୮ରେ ଭୁବନେଶ୍ବରର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଦୀର୍ଘମିଆଦୀ ଭିସାରେ ଆସିଥିଲେ ପାକିସ୍ତାନୀ ମହିଳା। ତାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଛି। ଏବେ ନୋଟିସ ପରେ ସେ ପାକିସ୍ତାନ ଯିବେ ବୋଲି କହିଛନ୍ତି ଡିସିପି ଭୁବନେଶ୍ୱର । ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କରେ ସୁଧାର ଆସିଲେ ପୁଣି ଭାରତ ଫେରିବେ ବୋଲି ଆଶା ରଖିଛନ୍ତି ନଗମାଙ୍କ ସ୍ବାମୀ।

ସେହିପରି ବଲାଙ୍ଗିର ସାରଦା ବାଇଙ୍କୁ ବି ନୋଟିସ କରିଛି ବଲାଙ୍ଗିର ପୋଲିସ l ନିଜ ପରିବାର ସହିତ 1986ରେ ପାକିସ୍ଥାନ ରୁ ଭାରତ ଆସିଥିଲେ ସାରଦା l ଓଡିଶାର କୋରାପୁଟକୁ ପ୍ରଥମରେ ପରିବାର ସହିତ ଆସିଥିବା ସାରଦା ବଲାଙ୍ଗିରର ମହେଶ କୁକ୍ରେଜା କୁ ବିବାହ କରିଥିଲେ l ପରେ ବଲାଙ୍ଗିରରେ ସ୍ଥାୟୀ ଭାବରେ ରହୁଛନ୍ତି l ହେଲେ ତାଙ୍କ ଭିସା 1991 ମସିହାରୁ ଆଉ ପଞ୍ଜିକରଣ ହୋଇନାହିଁ l ଏବେ ବଲାଙ୍ଗିରରେ ଭୋଟ ବି ଦେଉଛନ୍ତି l ଏବେ ସରକାରଙ୍କ ନିର୍ଦ୍ଦେଶ ପରେ ଭାରତ ଛାଡିବେ ପାକିସ୍ଥାନୀ l ଏପରି ନିର୍ଦ୍ଦେଶ ପରେ ବଲାଙ୍ଗିର ପୋଲିସ ସାରଦା କୁକ୍ରେଜାଙ୍କୁ ନୋଟିସ କରିଥିବା ବଲାଙ୍ଗିର ଡି.ଆଇ.ବି ର ଅତିରିକ୍ତ ଏସ.ପି ହିମାଂଶୁ ବେହେରା ସୁଚନା ଦେଇଛନ୍ତି l ବାଲେଶ୍ବରରେ ମଧ୍ୟ ଆଉ ଜଣେ ପାକିସ୍ତାନ ନାଗରିକ ଚିହ୍ନଟ ହୋଇଛନ୍ତି । ପାକିସ୍ତାନ ନାଗରିକ ହେଲେ ରାଜିଆ ସୁଲତାନା । ୩୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବାଲେଶ୍ବରରେ ରହୁଛନ୍ତି । ଜିଲ୍ଲା ପୋଲିସ ପକ୍ଷରୁ ରାଜିଆ ସୁଲତାନାଙ୍କୁ ନୋଟିସ୍ ଜାରି ହୋଇଛି ।