ଲାଲଗଡ଼ରେ କମୁଛି ଭୟ: ମାଓବାଦୀଙ୍କ ୱାର ରୁମରେ ଲାଗିଲା ପଞ୍ଚାୟତ ନିର୍ବାଚନ ପୋଷ୍ଟର

ମାଲକାନଗିରି(କେନ୍ୟୁଜ୍): ଲାଲ ଗଡ଼ରେ ଲାଗିଲା ଦଳୀୟ ପତାକା। ଦିନ ଥିଲା ମାଓବାଦୀଙ୍କ ଏହି ୱାର ରୁମରେ ମୁଣ୍ଡ ଟେକିବାକୁ ସାହସ ଜୁଟାଇ ପାରୁ ନଥିଲେ ସ୍ଥାନୀୟ ଲୋକେ। ଆଜି କିନ୍ତୁ ମାଓବାଦୀଙ୍କ ନାଲି ଆଖିକୁ ନଡରି ସେମାନଙ୍କ ଛାତି ଉପରେ ନିଜ ଦଳୀୟ ପ୍ରାର୍ଥୀମାନେ ପୋଷ୍ଟର ଛାପିଛନ୍ତି। ଏସବୁ କେବଳ ହୋଇ ପାରିଛି ସ୍ୱାଭିମାନ ଅଞ୍ଚଳରେ ନିୟୋଜିତ ସୁରକ୍ଷା କର୍ମୀଙ୍କ କଡା ସୁରକ୍ଷା ଯୋଗୁଁ।

ମାଲକାନଗିରି ଜିଲ୍ଲା ଦୁର୍ଗମ ଆଉ ମାଓବାଦୀଙ୍କ ଗଡ଼ ଯନ୍ତ୍ରୀ ପଞ୍ଚାୟତର ତଣ୍ଟାଗୁଡାରେ  ଅଛି ମାଓବାଦୀଙ୍କ ୱାର ରୁମ। ଆଉ ଏହି ୱାର ରୁମର ଚାରିପଟେ ଲାଗିଛି ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ପୋଷ୍ଟର ଏବଂ ପତାକା। ମାଓବାଦୀଙ୍କ ଏହି ୱାର ରୁମରେ ମାଓବାଦୀ ନିଜର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥାନ୍ତି। ପୋଲିସକୁ କିଭଳି ଟାର୍ଗେଟ କରାଯିବ,ମାଓବାଦୀଙ୍କ ପ୍ରଜାକୋର୍ଟ କିଭଳି ନିରୀହ ଲୋକଙ୍କୁ ଦଣ୍ଡ ମିଳିବ ଏସବୁ ହିସାବ ନିକାସ ଏହି ୱାର ରୁମରେ ହିଁ ନିର୍ଣ୍ଣୟ କରାଯାଇଥାଏ।

malkangiri 2

ଆଉ ଏଠାରେ ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟି ମାଓ ସଙ୍ଗଠନର ଟପ କ୍ୟାଡର ମାଓ ନେତା ସାମିଲ ହୋଇଥାନ୍ତି। ତେବେ ଆଜି ଯେଉଁଭଳି ଏହି ମାଓ ଗଡ଼ରେ ପୋଷ୍ଟର ଲାଗିଛି ଏହାକୁ ଦେଖିଲେ ଅନୁମାନ କରି ହେଉଛି ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଏବଂ ପୋଲିସର କଡା ସୁରକ୍ଷା ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ ଅନେକାଂଶରେ ଭୟ ଦୂର ହୋଇଛି।

Leave A Reply

Your email address will not be published.