ଓଡ଼ିଶାର ବିରୋଧ ସତ୍ତ୍ୱେ କୋଟିଆରେ ପଞ୍ଚାୟତ ନିର୍ବାଚନ, ଭୋଟ୍‌ ନକରିବାକୁ ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ କୋରାପୁଟ କଲେକ୍ଟର

କୋରାପୁଟ: କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଜାରି । ସକାଳ ୬ଟା ୩୦ରୁ ଆରମ୍ଭ ହୋଇଥିବା ଭୋଟଗ୍ରହଣ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ସେହିପରି ୧୭ ତାରିଖରେ କୋଟିଆର ତିନିଟି ଗାଁରେ ମତଦାନ ହେବ । କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଦୃଢ଼ ବିରୋଧ କରାଯାଉଛି । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିିତି ଉପରେ ନଜର ରଖାଯାଇଛି । ଜିଲ୍ଲାପାଳ ମହମ୍ମଦ ଅବଦୁଲ ଅଖତର ଆନ୍ଧ୍ର ପ୍ରଦେଶ ବିଜୟନଗରମ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ବାଚନ ସ୍ଥଗିତ ରଖିବାକୁ ଅବଗତ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁସାରେ ନିର୍ବାଚନ ବେଆଇନ ବୋଲି ଜଣାଯାଇଛି ।

ଏହା ପରେ ମଧ୍ଯ ଆନ୍ଧ୍ର ପୂର୍ବ ଯୋଜନା ଅନୁସାରେ ନିର୍ବାଚନ କରୁଛି । କୋଟିଆକୁ ନିଜ ସୀମାରେ ଦର୍ଶାଇ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ର । ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର । ଏଥିରେ ଆନ୍ଧ୍ର ପ୍ରଦେଶ ମୁଖ୍ୟ ଶାସନ ସଚିବ, ବିଜୟନଗରମ୍‌ ଜିଲ୍ଲାପାଳ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। କୋଟିଆ ପଞ୍ଚାୟତ ୧୯୩୬ରୁ ଓଡ଼ିଶାର ଅଂଶ ହୋଇ ରହିଛି। ୧୯୫୬ ମସିହାରେ ଆନ୍ଧ୍ରପ୍ରଦେଶ ଗଠନ ହୋଇଛି । ତେଣୁ କୋଟିଆ କିପରି ଆନ୍ଧ୍ରର ହୋଇପାରିବ ବୋଲି ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.