ଆଜିଠୁ କାର୍ତ୍ତିକ ମାସର ପଞ୍ଚକ ବ୍ରତ ଆରମ୍ଭ: ଶ୍ରୀକ୍ଷେତ୍ରରେ ଦର୍ଶନ ବନ୍ଦ, ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି

ପୁରୀ/ଆଠଗଡ(କେନ୍ଯୁଜ୍): ଆଜିଠାରୁ କାର୍ତ୍ତିକ ମାସର ପଞ୍ଚକବ୍ରତ ଆରମ୍ଭ ହୋଇଛି | ଏହି ପାଞ୍ଚ ଦିନରେ ମହାପ୍ରଭୁଙ୍କୁ ଭିନ୍ନ ଭିନ୍ନ ବେଶରେ ସଜିତ କରାଯାଇଥାଏ | ଆଜି ପଞ୍ଚକ ବ୍ରତର ପ୍ରଥମ ଦିନ ବଡଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯାଇଛି | ସେହିପରି ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୁଡା ବେଶ ପରେ ବୁଧବାର ଡାଳିକିଆ କିମ୍ବା ତୀବିକ୍ରମ ବେଶ, ଗୁରୁବାର ଲଷ୍ମୀନୃସିଂହ ବେଶ ଓ ଶୁକ୍ରବାର କାର୍ତ୍ତିକ ପୁର୍ଣିମାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜିତ କରାଯିବ |

ତେବେ କରୋନା କଟକଣା ଯୋଗୁ ଚଳିତବର୍ଷ ଭକ୍ତ ମାନେ ଆଜି ଲଷ୍ମୀନାରାୟଣ ବେଶ ଦର୍ଶନ କରିପାରି ନ ଥିବା ବେଳେ ଶୁକ୍ରବାର ଠାକୁରଙ୍କ ସୁନାବେଶ ଦର୍ଶନରୁ ମଧ୍ୟ ବଂଚିତ ହେବେ | ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର ଓ ଶୁକ୍ରବାର ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଥିବା ବେଳେ ଅନ୍ୟ ତିନିଦିନ ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାଙ୍କଚୁଡା, ଡାଳିକିଆ ଓ ଲଷ୍ମୀନୃସିଂହ ବେଶ ଦର୍ଶନ କରିପାରିବେ | ପଞ୍ଚକ ପାଞ୍ଚଦିନ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି |

dhabaleswardhabaleswar

ଅନ୍ଯପଟେ ଆଜି ଦିନରେ ମହାଦେବଙ୍କୁ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ମିଳିବାର ବିଶ୍ୱାସ ରହିଛି । ତେବେ ଚଳିତ ବର୍ଷ କାର୍ତ୍ତିକ ମାସର ସମସ୍ତ ସୋମବାରକୁ ବାବା ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି କରିଛି ଆଠଗଡ ପ୍ରଶାସନ । ଅଳଁ ନବମୀ ଠାରୁ କାର୍ତ୍ତିକ ପୁର୍ଣ୍ଣିମା ଯାଏ ୧୪୪ ଧାରା ଲାଗୁ କରାଯାଇଛି । ଭୋର ୪ଟାରୁ ରାତି ୧୦ଟା ଯାଏ ଏହି ନିୟମ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ରୀତିନୀନି ଚାଲୁ ରହିବ । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ କାର୍ତ୍ତିକ ବ୍ରତଧାରୀ ପୀଠକୁ ନ ଆସିବାକୁ ବାରଣ କରାଯାଇଛି । ଅନ୍ୟପଟେ ଭୋର ୪ଟାରୁ ମନ୍ଦିର ପହଡ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କୁ ସ୍ନାନ କରାଯିବା ପରେ ମଙ୍ଗଳଆଳତୀ, ସକାଳ ଧୂପ ଆଦ ସମସ୍ତ ନୀତିକାନ୍ତି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.