ଆଜି ପୁଣି ଥରେ ବିଦ୍ୟାଙ୍କୁ ଜେରା ! ଗଜପତି ଯାଇ ତଦନ୍ତରେ ସହଯୋଗ କରିବା ପାଇଁ କରାଯିବ ନୋଟିସ୍‌

ପାରଳାଖେମୁଣ୍ଡି(କେନ୍ଯୁଜ୍): ବିଦ୍ୟାଭାରତୀଙ୍କୁ ମାରାଥନ୍‌ ଜେରା। ଗତକାଲି ୪ଘଣ୍ଟା ଧରି ପଚରାଉଚରା କରିଥିଲା ସ୍ୱତନ୍ତ୍ର ତଦନ୍ତକାରୀ ଦଳ। ଆଜି ପୁଣି ଥରେ ବିଦ୍ୟାଙ୍କୁ ଜେରା କରିପାରେ ପୋଲିସ। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ତଦନ୍ତରେ ସହଯୋଗ କରିବା ପାଇଁ ବିଦ୍ୟାଙ୍କୁ ନୋଟିସ୍‌ କରିବ ପାରଳା ପୋଲିସ। ଗଜପତି ଯାଇ ତଦନ୍ତରେ ସହଯୋଗ କରିବା ପାଇଁ ତାଙ୍କୁ ନୋଟିସ୍‌ କରାଯିବ। କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା। ଘର ଭିତରେ ଥାଇ ମଧ୍ୟ କେମିତି ଜାଣିପାରିଲେନି ବିଦ୍ୟା। ସୌମ୍ୟଙ୍କ ସହ ତାଙ୍କର କିଭଳି ସମ୍ପର୍କ ରହିଥିଲା । ଏହାଭିତରେ ଉଭୟ ସୌମ୍ୟ ଓ ବିଦ୍ୟାଙ୍କ ଅନେକ ହାତଲେଖା ଚିଠି ଜବତ କରିଛି ପାରଳା ପୋଲିସ।

ମିଳିଥିବା ଚିଠି, ସମ୍ପତ୍ତି ଏଗ୍ରିମେଣ୍ଟ ଓ ପ୍ରାଥମିକ ତଦନ୍ତରେ ମିଳିଥିବା ତଥ୍ୟ ଆଧାରରେ ସାଢ଼େ ୪ ଘଣ୍ଟା ପଚରାଉଚରା ହୋଇଛି । ଘଟଣାର ୨୩ ଦିନ ପରେ ବି ପୋଲିସ କୌଣସି ନିର୍ଯାସରେ ପହଞ୍ଚି ପାରିନି । ପ୍ରଥମ ପର୍ଯ୍ୟାୟ ତଦନ୍ତରେ ପୋଲିସ ହାତରେ କିଛି ସୁରାକ ଲାଗିଛି । ସେହି ଆଧାରରେ ବିଦ୍ୟାଙ୍କୁ ଦ୍ୱିତୀୟ ଥର ଜେରା ହୋଇଛି । ବିଦ୍ୟାଙ୍କୁ ନେଇ ସୌମ୍ୟଙ୍କ କ୍ୱାର୍ଟର୍ସରେ ସିନ୍‌ ରିକ୍ରିଏସନ୍‌ କରିବାକୁ ଚାହୁଁଛି ପୋଲିସ । ପୂର୍ବରୁ ରୋଷେୟା ମନ୍ମଥ କୁମ୍ଭ ଘଟଣାସ୍ଥଳରେ ଡେମୋ ଦେଖାଇ ସାରିଛନ୍ତି । ସେଦିନ ଘର ଭିତରେ ବିଦ୍ୟା ଥିଲେ ବି ଏଯାଏ ଡେମୋ ଦେଖାଇ ନାହାନ୍ତି । କେମିତି ପୋଡ଼ିଗଲେ ସୌମ୍ୟ ତାର ଖିଅ ଖୋଜୁଛି ପୋଲିସ । ବିଦ୍ୟାକୁ ନେବାକୁ କପ୍ତିପଦା ଯାଇଥିବା ଡ୍ରାଇଭରଙ୍କ ବୟାନ୍‌ ଉପରେ ବି ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.