୨୨ ଦିନର ଛୁଆକୁ ଛାଡି ଚାଲିଗଲେ ବାପା ମାଆ, ଏବେ ଛୁଆ ହେବ କାହାର

ଏ କେମିତିକା ମାଆ ବାପା । ଜନ୍ମ ଦେଲେ କିନ୍ତୁ ଅଲୋଡା କରିଦେଲେ । ନିଜ ସଦ୍ୟଜାତ ଶିଶୁକୁ ହସ୍ପିଟାଲରେ ଛାଡି କେମିତି କେଜାଣି ଯିବାକୁ ଇଚ୍ଛା ହେଲା ଏ ବାପା ମାଆଙ୍କର ।

ଭୁବନେଶ୍ୱର (କେନ୍ୟୁଜ) : ଏ କେମିତିକା ମାଆ ବାପା । ଜନ୍ମ ଦେଲେ କିନ୍ତୁ ଅଲୋଡା କରିଦେଲେ । ନିଜ ସଦ୍ୟଜାତ ଶିଶୁକୁ ହସ୍ପିଟାଲରେ ଛାଡି କେମିତି କେଜାଣି ଯିବାକୁ ଇଚ୍ଛା ହେଲା ଏ ବାପା ମାଆଙ୍କର । ଟିକେ ବି ମନ କହିଲାନି ଏତେ କୁନି ଛୁଆଟି କେମିତି ରହିବ, କେମିତି ବଞ୍ଚିବ କଣ ଖାଇବ କଣ ପିଇବ । ଯଦି ଶିଶୁଟି ଏତେ ବୋଝ ହେଉଥିଲା ତାହେଲେ ଜନ୍ମ ଦେଉଥିଲ କାହିଁକି । ରାଜଧାନୀ ଭୁବନେଶ୍ୱରରେ ଆଜି ଦିନ ତମାମ୍‌ ଏକ ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୨ ଦିନର ଶିଶୁକନ୍ୟାକୁ ଛାଡ଼ି ଦେଇ ବାପା-ମା’ ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଶିଶୁର ଚିକିତ୍ସା ପାଇଁ ନୟାଗଡ଼ରୁ ଶିଶୁକନ୍ୟାକୁ ଆମ୍ବୁଲାନ୍ସରେ ଆଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ ଦମ୍ପତି । ନବଜାତକୁ ସ୍ପେଶାଲ ନ୍ୟୁ ବର୍ଣ୍ଣ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା। ଗତ ୯ଦିନ ହେବ ବାପା, ମାଆ ଶିଶୁଟିକୁ ଆଣି ହସ୍ପିଟାଲ ଆସିଥିଲେ। ତେବେ ମେଡିକାଲ ଟିମ୍‌ ଜାଣିବାକୁ ପାଇଲେ ଯେ, ପିଲାଟି ପାଖରେ କେହି ନାହାନ୍ତି। ଆଜି କୁଆଡେ ଫେରାର ହୋଇଯାଇଥିଲେ କହିଛନ୍ତି କ୍ୟାପିଟଲ ହସ୍ପିଟାଲ ନିର୍ଦ୍ଦେଶକ। ବାପାମାଆଙ୍କୁ ମୋବାଇଲ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେମାନଙ୍କ ସହିତ କୌଣସି ପ୍ରକାରେ ଯୋଗାଯୋଗ ହୋଇପାରି ନଥିଲା। ବରଂ ଶିଶୁକନ୍ୟାର ବାପାଙ୍କର ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଆସୁଥିଲା।

ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ଚାଇଲ୍ଡ ଲାଇନକୁ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ। ଅପରାହ୍ନ ଭିତରେ ବାପାମାଆ ଯୋଗାଯୋଗ ନକଲେ ଥାନା ଓ ଚାଇଲ୍ଡ ଲାଇନକୁ ଏବାବଦରେ ଜଣାଯିବ ‌ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ତେବେ ନବଜାତ ଶିଶୁର ବାପା-ମା’ ଙ୍କ ପରିଚୟ ମିଳିଛି । ବାପା ପ୍ରଶାନ୍ତ ନାୟକ ଓ ମା’ ହେଲେ ମମତା ନାୟକ । ନୟାଗଡ ଜିଲ୍ଲା ଖଣ୍ଡପଡ଼ାରେ ତାଙ୍କ ଘର ବୋଲି ଜଣାପଡିଛି ।

ଭୁବନେଶ୍ୱରରେ ନବଜାତ ଶିଶୁ ଅଲୋଡ଼ା ହେବା ଘଟଣା ଏହା ପ୍ରଥମ ଥର ନୁହେଁ। ବରଂ ଏହା ପୂର୍ବରୁ ମଧ୍ୟ ଏଭଳି ଅଘଟଣ ଦେଖିବାକୁ ମିଳିଛି। ଗତ ୨୫ ତାରିଖରେ ମଞ୍ଚେଶ୍ୱର ଥାନା ଅଧୀନ ରସୁଲଗଡ଼ ଅଞ୍ଚଳ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ କଣ୍ଟାବୁଦାରେ ଅଖାରେ ଭର୍ତ୍ତି ଥିବା ଶିଶୁକୁ ଏହି ରାସ୍ତାଦେଇ ଯାଉଥିବା ଜଣେ ଲୋକ ଦେଖିଥିଲେ। ଏବାଦରେ ସେ ଅନ୍ୟମାନଙ୍କୁ କହିବାରୁ ଘଟଣାସ୍ଥଳରେ ଲୋକଙ୍କର ଭିଡ଼ ଲାଗିଥିଲା। ଶେଷରେ ଅଖାବସ୍ତା ଭିତରୁ ମୃତ ଶିଶୁକୁ ଉଦ୍ଧାର କରାଯାଇଥିଲା।