କରୋନା ଦୁଃଖ ଠାରୁ ବଳି ଯାଇଛି ଏମିତି ବ୍ଯବହାର, ଭୟରେ ନିଜ ଜନ୍ମ କଲା ପୁଅକୁ ଘରେ ପୁରାଉ ନାହାନ୍ତି ବାପା-ମା’

ଜଳେଶ୍ବର(କେନ୍ଯୁଜ୍): ମହାମାରୀ କରୋନା କବଳରେ ସାରା ବିଶ୍ବରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ଯା ଯେଭଳି ଭାବରେ ବଢିବାରେ ଲାଗିଛି, ମୃତକଙ୍କ ସଂଖ୍ଯା ମଧ୍ଯ ସେହି ପରିମାଣରେ ବଢିବାରେ ଲାଗିଛି। ତେବେ ଗୋଟିଏ ପଟେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଅନ୍ଯପଟେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ମଣିଷର ମାନବିକତା। କରୋନା ଭୟରେ ନିଜ ଜନ୍ମ କଲା ପୁଅ ଏବଂ ବୋହୂକୁ ଘରେ ପୁରାଉ ନାହାନ୍ତି ବାପା , ମା। ଦୀର୍ଘ ୨୦ ଘଣ୍ଟା ରୁ ଊର୍ଦ୍ଧ୍ବ ସମୟ ଧରି ରାସ୍ତା ଉପରେ ତିନି ଝିଅ ଏବଂ ରୋଗିଣା ସ୍ବାମୀଙ୍କୁ ଧରି ସାରା ରାତି ବସି ରହିଛନ୍ତି ମହିଳା ଜଣକ। ଏମିତି ଏକ ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଦନେଇପୁର ଗ୍ରାମରେ।

ସୂଚନା ଅନୁଯାୟୀ ଏହି ଗ୍ରାମର ଗିରିଧାରୀ ବେହେରାଙ୍କ ବଡପୁଅ ଚାରୁଚନ୍ଦ୍ର ବେହେରା ଦୀର୍ଘ ବର୍ଷ ଧରି ନିଜ ପରିବାର ପ୍ରତିପୋଷଣ ପାଇଁ ମୟୁରଭଞ୍ଜ ଜିଲ୍ଲାର ଉଦୁଳା ଠାରେ ଜନୈକ ଠିକାଦାରଙ୍କ ନିକଟରେ ଶ୍ରମିକ ଭାବରେ କାର୍ଯ୍ଯ କରୁଥିଲେ। ସେ ସେଠାରେ ଏକ ଘର ଭଡା ନେଇ ନିଜର ସ୍ତ୍ରୀ ଏବଂ ତିନି ଝିଅଙ୍କ ସହ ରହୁଥିଲେ। ହଠାତ୍ ଚାରୁଚନ୍ଦ୍ରଙ୍କ ଦେହ ଖରାପ ହେବାରୁ ତାଙ୍କୁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ହସ୍ପିଟାଲରେ ଚିକିତ୍ସା ହେବା ପରେ ଡିସଚାର୍ଯ ହୋଇ ଗତକାଲି ଦିନ ୧୧ଟା ସମୟରେ ଏକ ବୋଲେରୋ ଗାଡିରେ ସ୍ତ୍ରୀ ଏବଂ ଝିଅମାନଙ୍କୁ ଧରି ଚାରୁଚନ୍ଦ୍ର ନିଜ ପୈତୃକ ଘର ଦନେଇପୁରରେ ପହଞ୍ଚିଥିଲେ। ତେବେ ଏମାନଙ୍କୁ ଦେଖି ପରିବାର ଲୋକେ ତାଟି କବାଟ ବନ୍ଦ କରିଦେବା ସହିତ ଘରେ ପୁରାଇ ଦେବେ ନାହିଁ ବୋଲି ମନା କରି ଦେଇଥିଲେ।

ଏହାକୁ ନେଇ ଗ୍ରାମବାସୀମାନେ ମଧ୍ଯ ଯେତେ ବୁଝାଇଥିଲେ ସେମାନେ ଘରେ ପୁରାଇ ଦେବେ ନାହିଁ ବୋଲି ମନା କରି ଦେଇଥିଲେ। ଅନ୍ଯପଟେ ହସ୍ପିଟାଲରୁ ଡିସଚାର୍ଯ ହୋଇ ଫେରିଥିବା ଚାରୁଚନ୍ଦ୍ର ନିଜ ପରିବାର ଲୋକଙ୍କ ଏମିତି ବ୍ଯବହାର ଦେଖି ଚେତାଶୂନ୍ଯ ହୋଇ ଗାଡି ଭିତରେ ପଡି ରହିଥିଲେ। ତେବେ ଘଟଣାକୁ ୨୦ ଘଣ୍ଟାରୁ ଅଧିକ ସମୟ ବିତିଯାଇ ଥିଲେ ବି ସେମିତି ରାସ୍ତାରେ ନ୍ଯାୟ ପାଇ ଅପେକ୍ଷା କରି ରହିଛନ୍ତି ଚାରୁଚନ୍ଦ୍ରଙ୍କ ପରିବାର।

Leave A Reply

Your email address will not be published.