ପୁଅ ପଡିଛି କୋମାରେ, ଚିକିତ୍ସା ପାଇଁ ସବୁକିଛି ବିକ୍ରି ପରେ, ଏବେ ଗାଁ ଗାଁ ବୁଲି ଭିକ ମାଗୁଛନ୍ତି ବୃଦ୍ଧ ବାପା ମାଆ
ଜଳେଶ୍ୱର (କେନ୍ୟୁଜ) : ବାବୁ କିଛି ସାହାଯ୍ୟ କର ବାବୁ, ମାଆ କିଛି ସାହାଯ୍ୟ କର, ଆପଣଙ୍କ ସାହାଯ୍ୟରେ ମୋ ପୁଅ ବଞ୍ଚିଯିବ, ତାର ଅପରେସନ ହେବ। ଦୟାକରନ୍ତୁ ଟିକେ, ମୋ ପୁଅର ଚିକିତ୍ସା ପାଇଁ କିଛି ସାହାଯ୍ୟ କର, ଗଣ୍ଡେ ଭିକ ଦିଅ ବାବୁ। ହସ୍ପିଟାଲ ବେଡରେ ପଡିଥିବା ପୁଅର ଫଟୋ କୁ ଧରି ଏମିତି କାନ୍ଦିକାନ୍ଦି ଘରକୁ ଘର ଏବଂ ଗାଁକୁ ଗାଁ ବୁଲି ଭିକ୍ଷା ମାଗୁଛନ୍ତି ବୃଦ୍ଧବାପା ମା। ଆଖିରୁ ଝରିପଡୁଛି ଧାର ଧାର ଲୁହ, ସେଇଥିରେ ହାତରେ ପୁଅର ଫଟୋ ଆଉ ଗୋଟେ ଜରି ବ୍ୟାଗ ଧରି ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ବୃଦ୍ଧ ବାପା ମାଆ।
ସବୁ ବାପା ମାଆଙ୍କ ଭଳି ଏମାନେ ବି ଆଶା ବାନ୍ଧିଥିଲେ ପୁଅ ଆମର ରୋଜଗାର କରିବ, ବୃଦ୍ଧ କାଳେ ବୁଢ଼ା ବାପା ମାଆଙ୍କୁ ସାହା ହେବ। କିନ୍ତୁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବରୁଣ ଗଡ଼ିଆ ପଞ୍ଚାୟତର ବଡ଼ ଗଡ଼ିଆ ଗାଁର ସୃଷ୍ଟିଧର ବେହେରା କଣ ଜାଣିଥିଲେ ତାଙ୍କୁ ଦିନେ ଏମିତି ଭିକ ମାଗିବାକୁ ପଡିବ ବୋଲି। ଆମେ ତ କହିବୁ ଭଗବାନ ଏପରି ଦୁଃଖ କାହାକୁ ବି ନଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ଏମାନଙ୍କର ଏମିତି ଭିକ ମାଗିବା ପଛର କାରଣ କଣ।
ପୁଅ ଭବେଶ କ୍ଷୀର ବ୍ଯବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ବେଶ ହସଖୁସି ରେ ଚାଲୁଥିଲା ତାଙ୍କର ଛୋଟିଆ ପରିବାର। ମାତ୍ର ବିଧିର ବିଧାନ ସବୁକିଛି ଓଲଟପାଲଟ କରିଦେଲା। ଗତ ଅଗଷ୍ଟ ମାସ ୧୩ ତାରିଖରେ ସାଇକେଲରେ କ୍ଷୀର ନେଇ ଯାଉଥିବା ସମୟରେ ୬୦ ନମ୍ବର ଜାତୀୟ ରାଜପଥରେ ଏକ କାର ଧକ୍କାରେ ଗୁରୁତର ଆହତ ହୋଇଗଲେ ଭବେଶ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବସ୍ତା ଓ ତାପରେ ବାଲେଶ୍ୱର ମେଡିକାଲକୁ ନିଆଗଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥିତ ଅଶ୍ଵନି ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରା ଯାଉଛି।
ତେବେ ଦୁର୍ଘଟଣାକୁ ଦେଢ଼ ମାସ ବିତିଯାଇଥିଲେ ବି ଏପର୍ଯ୍ଯନ୍ତ ଭବେଶ ଚେତାଶୂନ୍ୟ ହୋଇ କୋମାରେ ପଡି ରହିଛନ୍ତି। ପୁଅର ଚିକିତ୍ସା ପାଇଁ ବାପା, ମା ସଞ୍ଚିତ ରଖିଥିବା ସବୁ ଟଙ୍କାକୁ ଖର୍ଚ୍ଚ କରିବା ସହିତ ସମସ୍ତ ଜମି ମଧ୍ଯ ବିକ୍ରି କରିସାରିଲେଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ରୁ ଉର୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲେବି ଭବେଶଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ବି ପରିବର୍ତ୍ତନ ଆସିନାହିଁ। ଡ଼ାକ୍ତରଙ୍କ କହିବା ଅନୁଯାୟୀ ଚିକତ୍ସା ପାଇଁ ଆହୁରି ପ୍ରାୟ ୭ ଲକ୍ଷ ଟଙ୍କା ଆବଶ୍ୟକ ହେବ। ପୁଅର ଚିକିତ୍ସା ପାଇଁ ଚାଷ ଜମି ଓ ଗାଈ ଗୋରୁ ବିକ୍ରି କିରିବା ସହିତ ସାହି ପଡିଶା ଓ ବନ୍ଧୁବାନ୍ଧବଙ୍କ ଠାରୁ ଲକ୍ଷାଧିକ ଟଙ୍କା ଧାର କରଜ କରି ସାରିଲେଣି। ତେଣୁ ପୁଅର ଚିକିତ୍ସା ପାଇଁ ସବୁ ଆଡୁ ନିରାଶ ହୋଇ ଶେଷରେ ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି ବୃଦ୍ଧ ବାପା ମାଆ।
ବୃଦ୍ଧ କାଳେ ଦିନେ ଏମିତି ଦିନ ଦେଖିବାକୁ ମିଳିବ ହୁଏତ ଏହି ବାପା ମାଆ କେବେବି ଭାବିନଥିବେ। ପୁଅର ଚିକିତ୍ସାରେ ଅସହାୟ ହୋଇପଡିଥିବ ଏ ବାପା ମାଆ ଏବେ ନିଜ କୋହକୁ ସମ୍ଭାଳିପାରୁନାହାଁନ୍ତି। ତେବେ ଏଭଳି ସ୍ଥିତିରେ ସରକାରୀ ସହାୟତା କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବାକୁ ବାପା ,ମାଆ ଏବଂ ଗ୍ରାମବାସୀ ନିବେଦନ କରିଛନ୍ତି। ଯଦି କେହି ବଦାନ୍ୟ ବ୍ୟକ୍ତି ଏହି ବୃଦ୍ଧ ବାପା ମାଆଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଚାହୁଁଥିଲେ ଏଥିରେ ଯୋଗାଯୋଗ କରିପାରିବେ।
ବ୍ଯାଙ୍କ ଆକାଉଣ୍ଟ ନମ୍ବର – A/C – 24130100004278
NAME – SHIBESH BEHERA
IFSC – BARB 0 BARUNG
PHONE – 8144210559- google pay / phone pay ଏବଂ 8144210559 ମୋବାଇଲ ନମ୍ବରରେ ମଧ୍ଯ ଯୋଗାଯୋଗ କରିପାରିବେ।