ମହାନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା , ଅଳ୍ପକେ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ

ପାରାଦୀପ : ମହାନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ । ପାରାଦୀପ ମୂଷାଡିଆ ଘାଟର ଅଳ୍ପ ଦୂରରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ଗୋଟିଏ ବାଇକ୍ ବୁଡ଼ି ଯାଇଥିବା ବେଳେ ତାକୁ ମଧ୍ୟ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ାର ବାହାକୁଦ ଘାଟ ନିକଟରୁ ଡଙ୍ଗାଟି ବାହାରିଥିଲା । ବର୍ଷା, ପବନ ପାଇଁ ୫୦ରୁ ଅଧିକ ଲୋକ ଡଙ୍ଗାରେ ଚଢ଼ିଥିଲେ। ସେହି ଡଙ୍ଗାରେ ବାଇକ୍ ମଧ୍ୟ ରହିଥିଲା । ତେବେ ଡଙ୍ଗାରେ ଯାତ୍ରୀଙ୍କ ସଂଖ୍ୟା ଅଧିକ ହୋଇ ଯାଇଥିଲା । ପାରାଦୀପର ମୂଷାଡ଼ିଆ ଘାଟ ନିକଟରେ ଡଙ୍ଗା ପହଞ୍ଚିବାର ୮ରୁ ୧୦ ଫୁଟ ପୂର୍ବରୁ ଯାତ୍ରୀମାନେ ଏପଟ ସେପଟ ହେବାରୁ ଡଙ୍ଗା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ତେବେ କୂଳ ପାଖାପାଖି ଥିବାରୁ ବିଶେଷ କ୍ଷୟକ୍ଷତି ହୋଇ ନ ଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସ୍ଥାନୀୟ ଲୋକ ଓ ଦୋକାନୀ ମିଶି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଡଙ୍ଗାରେ ଛୋଟ ପିଲା, ମହିଳାମାନେ ମଧ୍ୟ ଥିଲେ ।
ଅନ୍ୟପଟେ ଡଙ୍ଗାରେ ବେଆଇନ ଭାବେ ବାଇକ ଓ ସାଇକେଲ ଲୋଡିଂ ହୋଇ ଆସୁଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି ।
ଆହୁରି ପଢ଼ନ୍ତୁ : ସ୍କୁଲ ପାଚେରୀ ଭୁଶୁଡ଼ି ଛାତ୍ର ମୃତ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା