ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୧୭ ଜଣ ଯାତ୍ରୀ

ବ୍ରହ୍ମଗିରି: ମଝିରେ ଚିଲିକା ପୁଣି ଫସିଲା ଡଙ୍ଗା । ଘାଟ ଡଙ୍ଗାରେ ଫସି ରହିଛନ୍ତି ୧୭ ଜଣ ଯାତ୍ରୀ । ଆଜି ସକାଳ ସାଢେ଼ ସାତଟାରେ ସମୟରେ ସାତପଡ଼ା ଚିଲିକାରେ ଏକ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଛି । ମେସିନରେ ତ୍ରୁଟି ଯୋଗୁଁ ଅଧା ବାଟରେ ଅଟକି ଯାଇଛି ଡଙ୍ଗା ।
ସୂଚନା ଅନୁସାରେ କୃଷ୍ଣପ୍ରସାଦ ବ୍ଳକ୍ ଜହ୍ନି କୁଦା ଘାଟରୁ ଏକ ଯାତ୍ରୀବାହୀ ଡଙ୍ଗା ୧୭ ଜଣ ଯାତ୍ରୀଙ୍କ ସହିତ ୭ଟି ବାଇକ୍ ନେଇ ସାତପଡ଼ା ଅଭିମୁଖେ ଆସୁଥିଲା । ପ୍ରାୟ ୨କିଲୋମିଟର ଦୂରରେ ଡଙ୍ଗା ଟିରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଡଙ୍ଗାଟି ଦୀର୍ଘ ୧ଘଣ୍ଟା ମଝି ଚିଲିକାରେ ଫସି ଥିବା ଦେଖି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ସାତପଡ଼ା ଘାଟରେ ପହଞ୍ଚାଇଛନ୍ତି । ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଛି । ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବ ଦେଉ ନଥିବାରୁ ଚିଲିକାରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗୁଥିବା ଅଭିଯୋଗ ହୋଇଛି ।