କଟକ/ ଭୁବନେଶ୍ଵର/ ବ୍ରହ୍ମପୁର : ପଶ୍ଚିମବଙ୍ଗରୁ ଆସୁନି ଆଳୁ ଟ୍ରକ । ପୁଣି ଥରେ ରାଜ୍ୟରେ ଆଳୁ ସଙ୍କଟ । ବଢ଼ିଲା ଆଳୁ ଦର । ଏହାକୁ ଚିନ୍ତାରେ ଖାଉଟି ଓ ବେପାରୀ । ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସୁନଥିବାରୁ ଓଡ଼ିଶା ବଜାରରେ ପ୍ରଭାବ ପଡ଼ିଛି । ବିଭିନ୍ନ ସ୍ଥାନରେ ଆଳୁ ରେଟ ବଢ଼ିଲାଣି । ଗୋଟିଏପଟେ ଗୋଦାମରେ ଥିବା ଆଳୁ ଶେଷ ହେଉଥିବା ବେଳେ ପଶ୍ଚିମବଙ୍ଗରୁ ଆମଦାନୀ ସଂପୂର୍ଣ୍ଣ ବନ୍ଦ ରହିଛି । ଭୁବନେଶ୍ବର ଆଇଗିଣିଆ ଆଳୁ ଗଦିକୁ ଯେଉଁଠି ଦିନକୁ ୩ଶହ ଆଳୁ ଟ୍ରକ ଆସେ ସେଠି ଗତକାଲି ୟୁପିରୁ ମାତ୍ର ୪ଟି ଟ୍ରକ ଆସିଛି । ପୁଣି ପଶ୍ଚିମବଙ୍ଗ ତୁଳନାରେ ଆଳୁର ପାଇକାରୀ ଦର କିଲୋ ପିଛା ୭ଟଙ୍କା ଅଧିକ ଦେବାକୁ ପଡୁଛି । ଏହାକୁ ନେଇ ବ୍ୟବସାୟୀ ଚିନ୍ତାରେ ଥିବା ବେଳେ ଚଢ଼ା ଦର ପାଇଁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବ୍ରହ୍ମପୁର ବଜାରରେ କିଲୋପ୍ରତି ୩୬ରୁ ୪୫ ଟଙ୍କାରେ ବିକ୍ରି ହେଉଛି l ସେହିପରି କଟକ ଛତ୍ର ବଜାରରେ ଆଳୁ କେଜିକୁ ୪୮ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଆଳୁ କେଜି ପ୍ରତି ୪୦ଟଙ୍କାରେ ବିକ୍ରି ହେଉଥିଲା । ଛତ୍ର ବଜାରକୁ ପଶ୍ଚିମବଙ୍ଗରୁ ୩ଟି ଆଳୁ ଗାଡି ଆସିଥିବା ବେଳେ ଆଜି ଆଉ ଗୋଟିଏ ଆଳୁ ଗାଡି ଆସିଛି । ଆଳୁର ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ଆଳୁ ଦର କେଉଁଠି କେତେ
କଟକ ଛତ୍ର ବଜାର- ୪୮
ଭୁବନେଶ୍ବର – ୪୦
ବ୍ରହ୍ମପୁର -୪୫
ଯାଜପୁର – ୪୦
ଜଳେଶ୍ବର- ୪୦