ଆଳୁ ପାଇଁ ନାକାବନ୍ଦୀ ହୁ ହୁ ହୋଇ ବଢିଲାଣି ଦର, ଛୁଇଁଲାଣି ୬୦ ଟଙ୍କା

ଭୁବନେଶ୍ୱର : ଟମାଟୋ ପରେ ଆଳୁ । ହଠାତ ବଢ଼ିଲା ଆଳୁ ଦର । ସପ୍ତାହକ ତଳେ ବଜାରରେ ଆଳୁ କିଲୋ ଥିଲା ୩୦ ଟଙ୍କା । ରାଜ୍ୟର ଏବେ କିଛି ସ୍ଥାନରେ ଖୁଚୁରା ବଜାରରେ ଦର ପ୍ରାୟ ୬୦ଟଙ୍କା ଛୁଇଁଲାଣି । ପଶ୍ଚିମବଙ୍ଗରେ ଧର୍ମଘଟ ଫଳରେ ଆଳୁ ଟ୍ରକ ଆସିପାରିନଥିବାରୁ ଦର ବଢ଼ିଥିବା କୁହାଯାଇଛି । ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ ଓଡ଼ିଶା । ପଶ୍ଚିମବଙ୍ଗରେ ଶୀତଳଭଣ୍ଡାର ମାଲିକଙ୍କ ଧର୍ମଘଟର ପ୍ରଭାବ ସିଧାସଳଖ ଓଡ଼ିଶାର ପରିବା ବଜାର ଉପରେ ପଡ଼ିଛି।
ସେହିପରି ଗତକାଲି ଜଳେଶ୍ବରର ସୀମାରେ ଅଟକି ରହିଥିଲା ଆଳୁ ବୋଝେଇ ଟ୍ରକ । ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଟ୍ରକକୁ ଅଟକାଇ ରଖିଥିଲା । ତେବେ ଓଡ଼ିଶା ସୀମାନ୍ତରୁ ଟ୍ରକକୁ ଫେରାଇନେଲା ପଶ୍ଚିମବଙ୍ଗ ପ୍ରଶାସନ । ଘଟଣାସ୍ଥଳରେ ମେଦୀନିପୁର ଜିଲ୍ଲା ଅତିରିକ୍ତ ଏସପି ସୌମିକ ସେନଗୁପ୍ତ ପହଞ୍ଚି ଟ୍ରକ ଫେରାଇ ନେଇଛନ୍ତି । ଗତକାଲି ଠାରୁ ୬୦ ନମ୍ବର ଜାତୀୟ ରାଜପଥ ସୋନାକଣିଆ ଚେକପୋଷ୍ଟରେ ଅଟିକି ରହିଥିଲା ୨ଶହରୁ ଅଧିକ ଆଳୁ ବୋଝେଇ ଟ୍ରକ । ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହେଉ ନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ ।
ଅନ୍ୟପଟେ ବଜାରରେ ମିଳୁନି ଆଳୁ । ଯେଉଁଠି ଆଳୁ ଅଛି ତାହା କିଲୋ ୬୦ ଟଙ୍କା ପାଖାପାଖି ପହଞ୍ଚିଲାଣି । କଟକରେ ଆଳୁ କିଲୋ ପ୍ରତି ୬୦ଟଙ୍କାରେ ବିକ୍ରି ହେଉଛି । ସେହିପରି ଭୁବନେଶ୍ବରରେ ଆଳୁ କେଜି ୪୫ ଟଙ୍କାର ରହିଛି । ବ୍ରହ୍ମପୁରରେ ଆଳୁ କିଲୋ ୫୦ ଟଙ୍କା, ବାଲୁଗାଁରେ ୬୦ , ମାଲକାନଗିରିରେ ୪୦, ମୟୂରଭଞ୍ଜରେ ଆଳୁ କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି । ଦର ବଢିବା ପରେ ଯେଉଁଠି ଲୋକେ କିଲେ, ଦୁଇ କିଲୋ ଆଳୁ ନେଉଥିଲେ ଏବେ ଅଧା କିଲୋ ନେଉଛନ୍ତି। ଆଳୁ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।