କୁନି କୁନି ପିଲାଙ୍କ ନିଆରା ପ୍ରୟାସ, ଆରମ୍ଭ ହେଲା “ପଥ ମହୋତ୍ସବ” କାର୍ଯ୍ୟକ୍ରମ

ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି ପିଲା ଠୁ ବୟସ୍କ । ସମସ୍ତେ କେମିତି ସୁରକ୍ଷିତ ରହିବେ ସେହି ଚିନ୍ତାରେ ସକାଳୁ ସକାଳୁ ନିଆରା ପ୍ରୟାସ ଆରମ୍ଭ କରିଥିଲେ ସ୍ଥାନୀୟ ଲୋକେ । କୁନି କୁନି ପିଲା ସଜ ହୋଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବାରୁ ପିଲାମାନେ ବୟସ୍କ ଲୋକଙ୍କୁ ସଚେତନ କରିବା ପାଇଁ ଆଗଭର ହୋଇଛନ୍ତି ।

ଗଂଜାମ ଜିଲ୍ଲା ଭଂଜନଗର ଠାରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ଜାତୀୟ ସଡକ ସୁରକ୍ଷା “ପଥ ମହୋତ୍ସବ” କାର୍ଯ୍ୟକ୍ରମ । ଆୟୋଜିତ କାର୍ଯ୍ୟକ୍ରମର ସଚେତନ ଶୋଭାଯାତ୍ରାରେ ଉପଖଣ୍ଡ ତଥା ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀ, ଅତିଥି ଭାବେ ଯୋଗ ଦେଇଥିଲେ । ଏହା ସହ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଡ୍ରାଇଭର ସଂଘ, ସ୍ବେଛାସେବୀ ସଂଗଠନ, ବୁଦ୍ଧିଜୀବୀ ଏବଂ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭଂଜନଗର ଆଞ୍ଚଳିକ ପରିବହନ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ନାଚ-ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା ।

ଏହି ଅନନ୍ୟ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସହରର ରାସ୍ତାଗୁଡ଼ିକୁ କାର୍ଯ୍ୟକଳାପ ଏବଂ ସୃଜନଶୀଳତାରେ ପରିପୂର୍ଣ୍ଣ ପଥଚାରୀ ଅନୁକୂଳ ଅଞ୍ଚଳରେ ପରିଣତ କରି ଏକ ସୁସ୍ଥ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା । ଫିଟ୍ ନେସ୍ ଅଧିବେଶନ, ସାଂସ୍କୃତିକ ପରିବେଷଣ, କଳା ପ୍ରଦର୍ଶନ ଓ ଖାଦ୍ୟ ଷ୍ଟଲ ସମେତ ବିଭିନ୍ନ ଆକର୍ଷଣରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ହଜାର ହଜାର ପ୍ରତିଯୋଗୀ ପଥ ଉତ୍ସବରେ ସାମିଲ ହୋଇଛନ୍ତି ।