ଦୁଲୁକିଲା ଇନଫୋସିଟି ଛକ ଠାରୁ ସିଲିକନ ଛକ, ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ

ଭୁବନେଶ୍ୱର : ଶୀତୁଆ ସକାଳରେ ରାଜଧାନୀରେ ପଥୋତ୍ସବର ମଜା । ଇନଫୋସିଟି ଛକ ଠାରୁ ସିଲିକନ କଲେଜ ଛକ ପର୍ଯ୍ୟନ୍ତ ଲାଗିଛି ଲୋକଙ୍କ ଭିଡ଼ । ଏଥର ପଥୋତ୍ସବରେ ଜଲଓ୍ବା ଦେଖାଇଛନ୍ତି ଗାୟିକା ଅର୍ଚ୍ଚନା ପାଢୀ ଏବଂ ରୁକୁସୁନା । ଇନଫୋସିଟି – ସିଲିକନ୍ ରାସ୍ତାରେ ପାଖାପାଖି ୧ କିଲୋମିଟର ବ୍ୟାପୀ ଏହି କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ସବୁ ବର୍ଗର ସବୁ ବୟସର ପୁରୁଷ , ମହିଳା , ଶିଶୁ ମାନଙ୍କ ମନୋରଞ୍ଜନ ଠାରୁ ଆରମ୍ଭ କରି ଖେଳ କୁଦ ପାଇଁ ବ୍ୟବସ୍ଥା କରାଯାଇଛି।
ଖାଲି ସେତିକି ନୁହେଁ କମେଡି, ଯୋଗ, ତୀର ଚାଳନା, ବାସ୍କେଟ ବଲ୍, ବ୍ୟାଜ ସିଂଟନ, ସ୍ଲାଇଜ୍, ସାପ-ସିଡି ଖେଳ, ବେଲୁନ୍ ସୁଟିଂ, ଏକ ଚକିଆ ସାଇକେଲ ଚାଳନା, ସାଇକେଲ ଚାଳନା, ପେଣ୍ଟିଂ, ଝୋଟି ବା ରଙ୍ଗୋଲି, ଡ୍ରଇଂ, କ୍ଲେ-ମଡେଲିଂ, ଇତ୍ୟାଦିର ମଜ୍ଜା ନେଇଛନ୍ତି ମହାନଗର ନିଗମ ବାସିନ୍ଦା । ମେୟର, ବିଧାୟକ ବାବୁ ସିଂ, ଅପରାଜିତା ଷଡଙ୍ଗୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି।
ଅନ୍ୟପଟେ ଏଣିକି ବର୍ଷ ସାରା ହେବ ପଥୋତ୍ସବ । ଏ ନେଇ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗତ ରବିବାର ଘୋଷଣା କରିଥିଲେ । ମନ୍ତ୍ରୀ କହିଛନ୍ତି ବର୍ଷକୁ ୧୨ଟି ଅର୍ଥାତ୍ ପ୍ରତି ମାସରେ ଗୋଟିଏ ପଥୋତ୍ସବ କରାଯିବ। ଶୀତ ଦିନରେ ପ୍ରତି ସପ୍ତାହରେ ପଥୋତ୍ସବ କରାଯିବ। ଏ ନେଇ ବିଭାଗ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ। ଆଜି ଭୁବନେଶ୍ଵର ଇନଫୋସିଟି ଛକ ଠାରୁ ସିଲିକନ କଲେଜ ଛକ ପର୍ଯ୍ୟନ୍ତ ପଥୋତ୍ସବ ଅନୁଷ୍ଠିତ ହୋଇଥିଲା । ଶୀତୁଆ ସକାଳରେ ନାଚ ଗୀତରେ ମସଗୁଲ ହୋଇଥିଲେ ରାଜଧାନୀବାସୀ ।
Also Read : ମାସକୁ ଥରେ ହେବ ପଥ ଉତ୍ସବ, ଲୋକଙ୍କ ଉତ୍ସାହକୁ ଦେଖି ଘୋଷଣା କଲେ ମନ୍ତ୍ରୀ