ଆମ୍ବୁଲାନ୍ସ ଗାଡ଼ି ଓଲଟି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଆହତ, ଡ଼ାକ୍ତରଖାନାରେ ଭର୍ତ୍ତି

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖୁଦପେଜ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଲା ଆମ୍ବୁଲାନ୍ସ ଗାଡ଼ି l ଆଜି ସକାଳେ ଖଡ଼ିଆଳ ବ୍ଲକ କେନ୍ଦୁପାଟି ପଂଚାୟତ ପଖାନପଡ଼ା ଗାଁର ଧନମତି ପୋଡ ନାମ୍ନୀ ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଗାଡ଼ି ଯୋଗେ ଖଡ଼ିଆଳ ଉପଖଣ୍ଡ ଡ଼ାକ୍ତରଖାନାକୁ ନେଇ ଆସୁଥିଲେ l ହେଲେ ଖଡ଼ିଆଳ ନିକଟସ୍ଥ ଖୁଦପେଜ ଗାଁ ନିକଟରେ ଆମ୍ବୁଲାନ୍ସ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା l
ଯାଫଳରେ ଆମ୍ବୁଲାନ୍ସ ଗାଡ଼ିରେଥିବା ଗର୍ଭବତୀ ମହିଳା ଧନମତିଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟ ପୁରନ୍ଦର ପୋଡ଼ ଗୁରୁତର ଆହତ ହୋଇଛନ୍ତି l ପରେ ବୋଡ଼େନ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଅନ୍ୟଏକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖଡ଼ିଆଳ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଛି l ହେଲେ ଗର୍ଭବତୀ ମହିଳା ଧନମତିଙ୍କ ସମେତ ତାଙ୍କ ସମ୍ପର୍କୀୟ ପୁରନ୍ଦର ପୋଡ଼ ଓ ଧନେଶ୍ଵର ନାଗଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ଅପରପକ୍ଷେ, ଆମ୍ବୁଲାନ୍ସ ଗାଡ଼ି ଡ଼୍ରାଇଭର ମଦ ପିଇ ଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଆହତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l