ଚିକିତ୍ସା ଅବହେଳାରୁ ଗଲା ରୋଗୀଙ୍କ ଜୀବନ, ପରିବାର ଲୋକେ ଆଣିଲେ ଅଭିଯୋଗ

ଅନୁଗୁଳ: ସ୍ୱାମୀଙ୍କୁ ସୁସ୍ଥ କରିବା ପାଇଁ ହସ୍ପିଟାଲ ଆଣିଥିଲେ । ସ୍ତ୍ରୀ ପୁଅଙ୍କ ସହ ସ୍ୱାମୀ ଭଲରେ କଥା ବି ହେଲେ । କିନ୍ତୁ କିଏ ଜାଣିଥିଲା ସ୍ୱାମୀ ସୁସ୍ଥ ହେବା ବଦଳରେ ଏହି ଦୁନିଆରୁ ବିଦାୟ ଦେଇ ଚାଲିଯିବେ । ଚିକିତ୍ସା ଅବହେଳାରୁ ରୋଗୀଙ୍କ ଜୀବନ ଗଲା । ଏପଟେ ସ୍ୱାମୀଙ୍କୁ ହରାଇ କାନ୍ଦି କାନ୍ଦି ବେହାଲ ସ୍ତ୍ରୀ । ଭାବିଥିଲେ ସ୍ୱାମୀ ଭଲ ହୋଇଯିବେ ତାଙ୍କୁ ନେଇ ଘରକୁ ଯିବେ । ପୁଣି ହସ ଖୁସିରେ ଚାଲିବ ସଂସାର । ହେଲେ ଡାକ୍ତର ରୋଗ ଭଲ କରିବେ କ’ଣ ଓଲଟା ଭୁଲ୍ ଚିକିତ୍ସା ଯୋଗୁ ରୋଗୀଙ୍କ ଜୀବନ ଚାଲି ଯାଇଛି ।
ଏକଥା ଆମେ କହୁନୁ ଆଜ୍ଞା ମୃତକଙ୍କ ପରିବାର ଲୋକେ ଆଣିଛନ୍ତି ଏଭଳି ଅଭିଯୋଗ । ଡାକ୍ତରଙ୍କ ସାମାନ୍ୟ ଭୁଲ୍ ପାଇଁ ଜଣେ ରୋଗୀଙ୍କର ଅକାଳରେ ଜୀବନ ଯାଇଛି । ଅନୁଗୋଳ ପାତ୍ରପଡାର ଜଣେ ଯୁବକଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କୁ ଡାକ୍ତରଖାନାକୁ ଆଣିବାର ଦୀର୍ଘ ସମୟ ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା ଯେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ତେବେ ଦର୍ଶକବନ୍ଧୁ ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ ବୋଲି କୁହାଯାଏ । ଡାକ୍ତରଙ୍କ କଥାରେ ହିଁ ମଣିଷ ର ଅଧାରୋଗ ଭଲ ହୋଇଯାଏ ବୋଲି ବିଶ୍ବାସ ରହିଛି । ଯଦି କାହାର ଦେହ ସାମାନ୍ୟ ଅସୁସ୍ଥ ଥାଏ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ ଭାବରେ ସୁସ୍ଥ ହୋଇଯାଏ । କିନ୍ତୁ ଏବେ ଡାକ୍ତରଙ୍କ ଚିକିତ୍ସା ଉପରେ ପ୍ରଶ୍ନ ଉଠିଛି । ଗରିବ ପରିବାରର ଲୋକ ଏମାନେ । ବହୁ କଷ୍ଟରେ ଟଙ୍କା ଯୋଗାଡ଼ କରି ସ୍ୱାମୀଙ୍କୁ ଭଲ କରିବା ପାଇଁ ଡାକ୍ତରଖାନା ନେଇଥିଲେ । କିନ୍ତୁ ତାଙ୍କର ଏମିତି ଜୀବନ ଯିବ ବୋଲି କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।
ଚିକିତ୍ସା ଅବହେଳାରୁ ଏଭଳି ରୋଗୀଙ୍କ ଜୀବନ ଯିବା ଘଟଣା ଆଜିକାଲି ବାରମ୍ବାର ଦେଖିବାକୁ ମିଳୁଛି । ତେବେ ଏଭଳି ଘଟଣାରେ କାହାର ଦୋଷ ରହିଛି ଓ କାହିଁକି ହେଉଛି ତାହା ଏବେବି ପ୍ରଶ୍ନବାଚୀ ହୋଇ ରହିଛି । ଅନ୍ୟପଟେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବିତ କରିବାକୁ ଦାବି କରିଛନ୍ତି । ତେବେ ଏହି ଘଟଣାରେ କେତେ ସତ୍ୟତା ରହିଛି ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ ।
Also read: ମେଡିକାଲ ସମ୍ମୁଖରେ ହୋହାଲ୍ଲା, ଚିକିତ୍ସା ଅବହେଳାରୁ ନବଜାତର ମୃତ୍ୟୁ ହୋଇଥିବା ଅଭିଯୋଗ