ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଛି ପ୍ରହସନ: ୱାର୍ଡରେ ଝୁଲୁଛୁ ତାଲା, ରୋଗୀ ପଡିଛନ୍ତି ଚଟାଣରେ

ନୀଳଗିରି : ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଛି ପ୍ରହସନ । ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ହଁ ଆଜ୍ଞା ରୋଗୀ ହ୍ୱିଲ ଚେୟାରରେ ବସି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଚିକିତ୍ସା ହେବାକୁ ଆସି ବିଭାଗ ସମ୍ମୁଖରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ତଥାପି ଗୃହ ଗୁଡିକରେ ପଡିରହିଛି ତାଲା । ବିଭିନ୍ନ ବିଭାଗର ଗୃହ ଥିଲେ ସୁଦ୍ଧା ସଂକ୍ରାମକ ରୋଗୀମାନେ ଚଟାଣରେ ପଡି ଚିକିତ୍ସିତ ହେଉଛନ୍ତି।
ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ସ୍ୱାସ୍ଥ୍ୟ ସେବା ପାଇଁ ଗରିବ ଲୋକମାନେ ସରକାରୀ ଡ଼ାକ୍ତରଖାନ ଉପରେ ନିର୍ଭରଶୀଳ ହୋଇଥାଆନ୍ତି । ପ୍ରତ୍ୟେକ ଦିନ ଉତ୍ତମ ସେବା ପାଇଁ ହଜାର ହଜାର ରୋଗୀ ଏଠାକୁ ଆସିଥାନ୍ତି । ହେଲେ ଏବେ କିନ୍ତୁ ରୋଗୀଙ୍କ ପାଇଁ ଉତ୍ତମ ଚିକିତ୍ସା ସାତସପନ ପାଲଟିଥିବା ବେଳେ ରୋଗୀ ଡାକ୍ତରଖାନାରୁ ଭଲ ହେବା ପରିବର୍ତ୍ତେ ରୋଗ ନେଇ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି ।
ହଁ ଆଜ୍ଞା ଏ ହେଉଛି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର କଥା । ଯେଁଉଠିକି ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ଆସିଥାନ୍ତି ରୋଗୀ ମାନେ। କିନ୍ତୁ ବଡ଼ ଦୁଃଖର କଥା ଗତକାଲି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୧୭ ରୁ ଅଧିକ ରୋଗୀ ଭର୍ତ୍ତି ହୋଇଥିବା ବେଳେ । ରୋଗୀ ମାନେ ଶଯ୍ୟା ବଦଳରେ କିଏ ଡ଼ାକ୍ତରଖାନା ବାରଣ୍ଡାରେ ତ ଆଉ କିଏ ନିଜ ବେଡସିଟ ପକାଇ ଚଟାଣରେ ଗଡୁଥିବାର ଦେଖିବାକୁ ମିଳିଥିଲା ।
ଏମିତିକି ଗୋଟିଏ କକ୍ଷରେ ଗୋଟିଏ ରୋଗୀ ରହିବା ପାଇଁ ସ୍ଥାନ ଥିବା ବେଳେ ସେହି କକ୍ଷରେ ତିନି ଜଣ ରୋଗୀ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଥିଲା ।ହସ୍ପିଟାଲ ପରିସରରେ ଦୁଇଟି ଡାଇରିଆ ୱାର୍ଡ ଥିଲେ ମଧ୍ୟ ଗୋଟିଏ ୱାର୍ଡରେ ଚିକିତ୍ସା ସୀମିତ ରହିଛି । ଅନ୍ୟ ୱାର୍ଡରେ କବାଟରେ ତାଲା ଝୁଲୁଥିବା ବେଳେ ତାହା ଗାଇ ଗୋରୁଙ୍କ ଆଡ୍ଡା ସ୍ଥଳ ପାଲଟିଛି ।
ଗୋଟିଏ ପଟେ ରୋଗୀ ହନ୍ତ ସନ୍ତ ହେଉଥିବା ବେଳେ, ଅପରପଟେ ନର୍ସ ଅଭାବ କାରଣରୁ ମଧ୍ୟ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ସଠିକ ସମୟରେ ହୋଇପାରୁନାହିଁ । ଡ଼ାକ୍ତରଖାନାକୁ ଆସୁଥିବା ରୋଗୀ ଯନ୍ତ୍ରଣାରେ ଛଟପଟ ହୋଇ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି । ଡ଼ାକ୍ତର ଆଡମିଟ ହେବାକୁ କହୁଛନ୍ତି ସତ କିନ୍ତୁ ରୋଗୀ ମାନେ କିଭଳି ଅବସ୍ଥାରେ ରହୁଛନ୍ତି ତାହା ଡାକ୍ତର ମାନେ ଦେଖିବାର ନାଗନ୍ଧ ବି ଧରୁନାହାନ୍ତି ।
ଏ ସଂପର୍କରେ ଆମେ ଡାକ୍ତରଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଅନେକ ସମୟରେ ଅନେକ ଅବ୍ୟବସ୍ଥାକୁ ନେଇ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଚର୍ଚ୍ଚାକୁ ଆସିଥିବା ବେଳେ ଏଭଳି ସ୍ଥିତି ଅଞ୍ଚଳବାସୀଙ୍କ ମନରେ ଭୟ ଜାଗ୍ରତ କରିଥିବା ବେଳେ ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।