ଦ୍ଵିତୀୟ ଶ୍ରୀକ୍ଷେତ୍ର ମନ୍ଦିର ଚୂଡ଼ାରୁ ଉଡ଼ିଗଲା ବାନା, ଅଞ୍ଚଳବାସୀଙ୍କୁ ଘାରିଲାଣି ଚିନ୍ତା

ଆସୁଛି କି ବଡ଼ ବିପଦ ! କିଛି ଅଘଟଣ ଘଟିବନି ତ ! ଭଗବାନ କିଛି ସୂଚନା ଦେଉ ନାହାନ୍ତି ତ ! ଏମିତି କହିବାର କାରଣ ହେଉଛି ଦ୍ଵିତୀୟ ଶ୍ରୀକ୍ଷେତ୍ର ମନ୍ଦିର ଚୂଡ଼ାରୁ ପତିତପାବନ ବାନା ଉଡ଼ିଯାଇଛି । ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉ ମନ୍ଦିରରେ ହୋଇଛି ଏଭଳି ଅଘଟଣ । ମନ୍ଦିର ଚୂଡ଼ାରୁ ବାନା ଉଡ଼ିଯିବା ପରେ ସମସ୍ତଙ୍କ ମନରେ ଭୟ । ଆଗକୁ କିଛି ବଡ଼ ବିପଦ ଆସିବ ଭାବି  ଅଞ୍ଚଳବାସୀଙ୍କୁ ଘାରିଲାଣି ଚିନ୍ତା ।

ବାତ୍ୟା ଦାନା ପ୍ରଭାରରେ ପବନର ପ୍ରକୋପ ବଢ଼ିଛି । ମନ୍ଦିର ଉପରେ କଳା ବାଦଲ ଭାସୁଛି । ଏଭଳି ପରିସ୍ଥିତିରେ ପତିତପାବନ ବାନା ଉଡ଼ିଯିବା ପରେ ସମସ୍ତେ ଭୟଭୀତ ଅଛନ୍ତି । ତେବେ ମନ୍ଦିର ଚୂଡ଼ାରୁ ବାନା ଉଡି ରଥ ଖଳାରେ ପଡିଥିଲା । ଏଭଳି ଘଟଣା ଆଜି ସକାଳୁ ହୋଇଥିବାବେଳେ ସମସ୍ତ ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟ ଚକିତ ଅଛନ୍ତି । ଅନ୍ୟପଟେ ଅନେକ ଭକ୍ତ ଏହାକୁ ନେଇ ନାନା ଆଶଙ୍କା କରୁଛନ୍ତି ।

ଏହା କଣ କିଛି ବିପଦର ସଙ୍କେତ କି ? ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ତେବେ ଚୁନରା ସେବକ ପହଁଚି ପୁଣି ପତିତପାବନ ବାନା ବାନ୍ଧିବାକୁ ସଜବାଜ ହୋଇଛନ୍ତି । ପତିତପାବନ ବାନା ଲାଗି ହୋଇସାରିବା ପରେ ପୁଣି ନିତୀକାନ୍ତି ଆରମ୍ଭ ହେବ ବୋଲି କହିଛନ୍ତି ସେବାୟତ ।

ଏଭଳି ଘଟଣାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି । କେହି କେହି ଏହାକୁ ଶୁଭ ତ ଆଉ କେହି ଅଶୁଭ କହୁଛନ୍ତି । ଭଗବାନଙ୍କ ମହିମା ସମ୍ପର୍କରେ ସାରା ବିଶ୍ୱ ଜ୍ଞାତ । ଓଡ଼ିଶାର ପ୍ରତ୍ୟେକ ଅଂଶରେ ରହିଛି ଆଧ୍ୟତ୍ମିକତାର ଅଲୌକିକ ଶକ୍ତି । ଭଗବାନ ବେଳେ ବେଳେ ଏମିତି ଲୀଳା କରନ୍ତି ଯାହାକୁ ବୁଝିବା ମନୁଷ୍ୟ ପକ୍ଷରେ ଅସମ୍ଭବ । ବିଗତ ଦିନରେ ଓଡ଼ିଶାରେ ଏପରି ବହୁ ଅଲୌକିକ ଘଟଣା ଘଟିଯାଇଛି । ଆଜି ମୟୁରଭଞ୍ଜ ବାରିପଦାରେ ଏପରି ଦୃଶ୍ୟ ସମସ୍ତଙ୍କ ଚିନ୍ତା ଚେତନାକୁ କ୍ଷଣିକ ପାଇଁ ଦୋହଲାଇ ଦେଇଛି ।