ଦୀର୍ଘ ଛଅ ବର୍ଷ ହେବ ନ୍ୟାୟ ଅପେକ୍ଷାରେ ମୃତ ସୌମ୍ୟ ଶେଖରଙ୍କ ବାପା ମାଆ

ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଏବେବି ଲୋକଙ୍କ ମନରେ ତାଜା ରହିଛି । କାରଣ ଏତେ ବର୍ଷ ପରେ ବି ଏହାର ଶୁଣାଣି ସରି ନାହିଁ । ବୁଧବାର ଦିନ ସର୍ବଶେଷ ଶୁଣାଣି ବେଳେ ପୁଞ୍ଜିଲାଲଙ୍କୁ ନିଜ ପାଇଁ ପକ୍ଷ ରଖିବାକୁ କୋର୍ଟ ସୁଯୋଗ ଦେଇ ଥିଲେ । ପୁଞ୍ଜିଲାଲ ସପକ୍ଷରେ କୋର୍ଟରେ ଜଣେ ବ୍ୟକ୍ତି ସାକ୍ଷ୍ୟ ଦେଲେ । ଯାହାଙ୍କୁ କୁହାଯାଏ ପରିତ୍ରାଣ ସାକ୍ଷୀ । ତେବେ ଏହି ପାର୍ସଲ ବୋମା ଘଟଣାରେ ସମସ୍ତ ୬୨ ଜଣଙ୍କ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ସହିତ ଅଭିଯୁକ୍ତଙ୍କ ବୟାନ ରେକର୍ଡ ସରିଛି । ତେବେ ପୁଞ୍ଜିଲାଲଙ୍କୁ ନିଜ ସପକ୍ଷରେ ମତ ରଖିବା ପାଇଁ ପରିତ୍ରାଣ ସାକ୍ଷୀ ରଖିବା ଲାଗି କୋର୍ଟଙ୍କ ତରଫରୁ ସୁଯୋଗ ଦିଆ ଯାଇଥିଲା । ଗତ ଅପ୍ରେଲ ୪ ତାରିଖରେ ପୁଞ୍ଜିଲାଲ ନିଜ ସପକ୍ଷରେ ସାକ୍ଷ୍ୟ ପ୍ରଦାନ କରିଥିବା ବେଳେ ଗତକାଲି ତାଙ୍କ ପକ୍ଷରୁ ଜଣେ ପରିତ୍ରାଣ ସାକ୍ଷୀ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ଆଉ ସେତିକି ବେଳେ ପୁଞ୍ଜିଲାଲ ବଲାଙ୍ଗିର ଜେଲରୁ ଆଭାସୀ ବା ଭର୍ଚୁଆଲ ମାଧ୍ୟମରେ କୋର୍ଟ କାର୍ଯ୍ୟରେ ଉପସ୍ଥିତ ରହିଥିଲେ।
ତେବେ କେହିବି ଭୁଲି ନଥିବେ ଏଭଳି ଏକ ଅପରାଧ ଘଟଣାକୁ । ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିବା ଅଭିଯୋଗ ହୋଇଥିଲା । ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୮ ତାରିଖରେ ହୋଇଥିଲା । ବିବାହ ଭୋଜିରେ ପୁଞ୍ଜିଲାଲ୍ ଉପହାର ଭାବେ ପାର୍ସଲ ବୋମା ପଠାଇଥିଲେ । ୨୩ ତାରିଖ ଦିନ ପାର୍ସଲ୍ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମା ଙ୍କର ମୃତ୍ୟୁ ଘଟିଥିଲା । ନବବିବାହିତା ପତ୍ନୀ ରିମାରାଣୀ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ। ତେବେ ଘଟଣାର କୌଣସି ଚାକ୍ଷୁସ ପ୍ରମାଣ ନଥିଲେ ବି ତଦନ୍ତ କରି କ୍ରାଇମ୍ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୪ ତାରିଖରେ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବାପରେ ପୁଞ୍ଜିଲାଲ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବନ୍ଦୀ ଭାବେ ରହିଛନ୍ତି ।
ସେତେବେଳେ ଏହି ପାର୍ସଲ ବୋମା କାରନାମା ସମଗ୍ର ଦେଶରେ ଚହଳ ପକାଇଥିଲା। ଏବେ ଅଭିଯୁକ୍ତ ପୁଞ୍ଜିଲାଲ ଛଅ ବର୍ଷରୁ ଅଧିକ କାଳ ହେଲା ଜେଲ୍ରେ ଅଛନ୍ତି । ଏହି ଘଟଣାରେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ କହିଛନ୍ତି କି ଯଦିଓ ବିଚାର ପ୍ରକିୟା ବହୁତ ଲମ୍ବା ହେଲାଣି ତଥାପି ମୋର ଆଇନ୍ ଓ କୋର୍ଟଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ଅଛି । ମୋତେ ଶୀଘ୍ର ନ୍ୟାୟ ମିଳିଯାଉ ବାସ୍ ମୁଁ ଏତିକି ଚାହୁଁଛି । ସେପଟେ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର କହିଛନ୍ତି, ଜଣେ ବ୍ୟକ୍ତି ପୁଞ୍ଜିଲାଲଙ୍କ ସପକ୍ଷରେ ସାକ୍ଷୀ ଦେଇଛନ୍ତି । ପାର୍ସଲବୋମା ଘଟଣାରେ ପୁଞ୍ଜିଲାଲଙ୍କ କୌଣସି ସମ୍ପୃକ୍ତି ନଥିବା ତାଙ୍କ ପରିତ୍ରାଣ ସାକ୍ଷୀ କହିଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଆଉ କିଛିଦିନ ମଧ୍ୟରେ ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।
Also Read:ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କର କରିଲେ ଚିକିତ୍ସା