ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ସଙ୍ଗୀନ ଦଫା । ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ । ୪ ଦିନ ପରେ ଏତଲା ଦେଇଛନ୍ତି ପରିବାରଲୋକ । ମୃତ ଛାତ୍ରୀଙ୍କ ବାପା ଓ ବଡ଼ଭାଇ ପ୍ରମୋଦ ବେହେରା ନାମକ ଯୁବକଙ୍କ ନାଁରେ ଏତଲା ଦିଆଯାଇଛି । ପ୍ରମୋଦ ବେହେରାଙ୍କ ବିରୋଧରେ ୨୯୬,୭୫,୭୮,୧୦୮,୬୬ (ଇ), ୬୭ (ଏ) ପରି ସଙ୍ଗୀନ ଦଫା ଲଗାଯାଇଛି । ଝିଅର ଅଶ୍ଳୀଳ ଭିଡିଓ ଭାଇରାଲ କରିବା ସହ ମାନସିକ ନିର୍ଯାତନା ଦେବାରୁ ସେ ଜୀବନ ହାରିଥିବା ଏତଲାରେ ଦର୍ଶାଇଛନ୍ତି ଛାତ୍ରୀଙ୍କ ବାପା । ଏତଲା ଦେବାକୁ ଯାଇଥିବା ବେଳେ ଛାତ୍ରୀଙ୍କ ବାପା ଓ ଭାଇଙ୍କୁ ପଚରାଉଚରା କରିଛି ପୋଲିସ ।
ଅନ୍ୟପଟେ କେନ୍ଦ୍ରାଞ୍ଚଳ ଆଇଜି କେନ୍ଦ୍ରାପଡ଼ାରେ ପହଞ୍ଚି ତଦନ୍ତର ସମୀକ୍ଷା କରୁଛନ୍ତି । ପଞ୍ଚମ ଦିନରେ ଛାତ୍ରୀ ମୃତ୍ୟୁ ଘଟଣାରେ ତନାଘନା ତଦନ୍ତ କରିଛି ପୋଲିସ । ଘଟଣାରେ ଏପର୍ଯ୍ୟନ୍ତ କାହାକୁ ଅଟକ କିମ୍ବା ଗିରଫ କରିନି ପୋଲିସ । ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ଛାତ୍ରୀଙ୍କୁ ବାନ୍ଧିଥିଲା କିଏ? କେମିତି ଛାତ୍ରୀଙ୍କ ଚିତ୍କାର କାହାକୁ ଶୁଭିଲାନି ? ଛାତ୍ରୀଙ୍କ ମୃତ୍ୟୁରେ ଆଉ କାହାର ସମ୍ପୃକ୍ତି ଅଛି କି ? ମୃତ୍ୟୁର ୫ ଦିନ ପରେ ପୁଲିସ ଏହାର ଉତ୍ତର ଖୋଜି ପାଉନି । ଏସବୁ ଭିତରେ ମୃତ ଛାତ୍ରୀଙ୍କ ଗାଁରେ ପହଞ୍ଚିଛନ୍ତି ନିଜେ ଏସପି । ସୁରାଗ ଖୋଜିବାକୁ ପଡୋଶୀଙ୍କ ସିସିଟିଭି କ୍ୟାମେରା ଯାଞ୍ଚ କରିଛି ଏସପିଙ୍କ ଟିମ୍ ।
ଆହୁରି ପଢ଼ନ୍ତୁ : ପଟ୍ଟାମୁଣ୍ଡାଇ ଛାତ୍ରୀ ମୃୃତ୍ୟୁ ଘଟଣା; ପୁରୁଷ ବନ୍ଧୁଙ୍କ ନାଁରେ ଏତଲା ଦେଲେ ମୃତ ପୀଡିତାଙ୍କ ବାପା