ଗେଣ୍ଡୁ ଫୁଲ ଚାଷ କରି ଅମ୍ବିକା ନିଜେ ସ୍ବାବଲମ୍ବୀ ହେବା ସହ ରୋଜଗାର ଯୋଗାଇଛନ୍ତି

ପଟ୍ଟାମୁଣ୍ଡାଇ: ସୁଲୁସୁଲିଆ ପବନରେ ଦୋଳି ଖେଳୁଛନ୍ତି ଗଣ୍ତା ଗଣ୍ତା ଫୁଲ । କ୍ଷେତରେ ହସୁଛି ରଙ୍ଗବେରଙ୍ଗର ଗେଣ୍ଡୁଫୁଲ । ଗେଣ୍ଡୁ ଫୁଲକୁ କେବଳ ପୂଜା ପାଇଁ ବ୍ୟବହାର କରାଯାଏନି ଘର ସଜାଇବା କାମରେ ମଧ୍ୟ ଏହି ଫୁଲକୁ ବ୍ୟବହାର କରାଯାଏ । ଏହାସହ ଗେଣ୍ଡୁ ଫୁଲରେ ରହିଛି ଅନେକ ଔଷଧିୟ ଗୁଣ ।
ତେବେ ଯୁବପିଢ଼ି ଚାଷ ରୁ ମୁହଁ ଫେରାଇ ନେଉଥିବା ବେଳେ ଏବେ ଚାଷ ପାଇଁ ଅଣ୍ଟା ଭିଡ଼ିଲେଣି ମହିଳା । ଅଣ୍ଢରା ଗାଁର ଅମ୍ବିକା ମଲିକ ବିଗତ ଦିନରେ ପଞ୍ଚାୟତର ସରପଞ୍ଚ ଭାବେ ମନୋନୀତ ହୋଇଥିଲେ । ସରପଞ୍ଚ ଥିବା ବେଳେ ନିଜ ସମୟ କାଳ ଭିତରେ ବହୁ ଉନ୍ନତି ମୂଳକ କାମ କରି ବେଶ ପ୍ରଶଂସନୀୟ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜନୀତିରୁ ଓହରି ଚାଷ ପ୍ରତି ମନ ବଳାଇଥିଲେ । ବିଭିନ୍ନ ପନିପରିବା ବାଇଗଣ, ଟମାଟୋର,କ୍ୟାପସିକମ, କଲରା, କାକୁଡି, ଲଙ୍କା ଭଳି ଅନେକ ପନିପରିବା ଫସଲ ଚାଷ କରିବା ସହିତ ବିଶେଷ କରି ଗେଣ୍ଡୁଫୁଲ ଓ ସୂର୍ଯ୍ୟମୁଖୀ ଫୁଲ ଚାଷ କରି ଏବେ କେନ୍ଦ୍ରାପଡ଼ାରେ ବେଶ ନାଁ କମାଇ ପାରିଛନ୍ତି ।
ପରୀକ୍ଷାମୂଳକ ଭାବେ ୨ବର୍ଷ ହେବ ଗେଣ୍ଡୁଫୁଲ ଚାଷ କରି ସେ ବେଶ ସଫଳତା ପାଇଛନ୍ତି । ଅନ୍ୟପଟେ ଅମ୍ବିକାର ଚାଷ ପ୍ରତି ଥିବା ଦୁର୍ବଳତାକୁ ଶତପ୍ରତିଶତ ସମର୍ଥନ ଜଣାଇ କାନ୍ଧକୁ କାନ୍ଧ ମିଶାଇ ସହଯୋଗର ହାତ ବଢ଼ାଇଛନ୍ତି ସ୍ୱାମୀ ସଞ୍ଜୟ । ଅନ୍ୟପଟେ ଗେଣ୍ଡୁ ଫୁଲର ଚାହିଦା ଓଡ଼ିଶାରେ ଢେର ଅନେକ । ଫୁଲ ପାଇଁ ଓଡିଶା ସବୁବେଳେ ପଶ୍ଚିମ ବଙ୍ଗ ଉପରେ ନିର୍ଭର କରିଥାଏ । ହେଲେ ପରୀକ୍ଷା ମୂଳକ ଭାବେ ଅମ୍ବିକା କରିଥିବା ଗେଣ୍ଡୁ ଚାଷକୁ ଦେଖିଲେ ଯଦି ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବେ ତାହେଲେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଓଡିଶାର ବିଭିନ୍ନ ଜାଗାକୁ ଫୁଲ ଯୋଗାଇବାରେ ସମର୍ଥ ହେବେ ବୋଲି କହିଛନ୍ତି ଅମ୍ବିକା ଓ ସଞ୍ଜୟ ।
ଅନ୍ୟପଟେ ଅମ୍ବିକା ନିଜ ପରିଶ୍ରମ ଫଳରେ ନିଜ କ୍ଷେତରେ ଫଳାଇଛନ୍ତି ସୁନାର ଫସଲ । ଥରେ କ୍ଷେତରେ ବୁଲି ଆସିଲେ ମିଳିଯାଏ ନିଜ ପରିଶ୍ରମର ଫଳ । ଏହି ଚାଷ ଦ୍ୱାରା ଅମ୍ବିକା ନିଜେ ସ୍ୱାବଲମ୍ବୀ ହେବା ସହିତ ୮ ରୁ ୧୦ ପରିବାରକୁ ଯୋଗାଇଛନ୍ତି ଆତ୍ମନିଯୁକ୍ତି । ଏହି ଗେଣ୍ଡୁ ଚାଷ ଦ୍ୱାରା ୧୦ ପରିବାର ନିଜ ପରିବାର ପ୍ରତିପୋଷଣ କରିବାରେ ସଫଳ ହୋଇଥିବା ବେଳେ ଦୀର୍ଘ ଦିନ ଧରି କ୍ଷେତରେ କାମ କରୁଥିବା ଚାଷୀ ଦୁଇ ବର୍ଷ ହେବ ଗେଣ୍ଡୁ ଚାଷ କରି ବେଶ ଖୁସି । ଆଗକୁ ଅମ୍ବିକାଙ୍କ ସହଯୋଗ ରେ ସାରା ଓଡିଶାକୁ ଗେଣ୍ଡୁ ଫୁଲ ଯୋଗାଇ ଦେବେ ବୋଲି କହିଛନ୍ତି କ୍ଷେତରେ କାମ କରୁଥିବା କର୍ମଚାରୀ ମାନେ ।
Also Read:ପୋଖରୀରେ ମାଛ ଧରିବା ହେଲା କାଳ, ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ