ପାଟୁଆ ପର୍ବ ପାଇଁ ଏବେ ଠୁ ଚଳଚଞ୍ଚଳ ହେଲାଣି ମା’ପାଟଣ ମଙ୍ଗଳା ପୀଠ, ପୋଖରୀ ଅବସ୍ଥାକୁ ଦେଖି ଭକ୍ତ ନିରାଶ

ପାଖେଇ ଆସୁଛି ପ୍ରସିଦ୍ଧ ପାଟୁଆ ପର୍ବ । ମହାବିଷୁଭ ସଂକ୍ରାନ୍ତିର ଆଗଦିନ ଅର୍ଥାତ ମାସନ୍ତ ଠାରୁ ପୀଠରେ ଲାଗିବ ପାଟୁଆ ଭକ୍ତଙ୍କ ଭିଡ । ପାଖାପାଖି ପାଞ୍ଚ ଶହ ବର୍ଷର ପୁରୁଣା ପୀଠ । ଏବେ ଠୁ ଚଳଚଞ୍ଚଳ ହେଲାଣି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ନରେନ୍ଦ୍ରପୁର ଗାଁର ମା’ ପାଟଣ ମଙ୍ଗଳା ପୀଠ । ବିଭିନ୍ନ ପର୍ବ ପର୍ବାଣୀ ଭିତରେ ମା’ ପାଟଣ ମଙ୍ଗଳାଙ୍କର ମୁଖ୍ୟ ଓ ପ୍ରସିଦ୍ଧ ପର୍ବ ହେଉଛି ପଣା ସଂକ୍ରାନ୍ତି । ସଂକ୍ରାନ୍ତି ଦିନ ହଜାର ହଜାର ମାନସିକଧାରୀ ପାଟୁଆ ଭକ୍ତ ମା’ଙ୍କ ପୀଠରେ ଥିବା ପୋଖରୀରେ ବୁଡ ପକାଇଥାନ୍ତି । ତେବେ ପଣା ସଂକ୍ରାନ୍ତି ପାଖେଇ ଆସୁଥିବାରୁ ଏବେ ଠୁ ମାଙ୍କ ପୀଠ ହେଲାଣି ଚଳଚଞ୍ଚଳ । ଏବେ ଠୁ ପୀଠରେ ବସିଲାଣି ଦେକାନ ବଜାର । କିନ୍ତୁ ମା’ଙ୍କ ପୀଠରେ ଥିବା ପୋଖରୀ କାମ ସରିନଥିବାରୁ ପାଟୁଆ ଭକ୍ତ ବୁଡ ପକାଇବା ପାଇଁ ପାଣିର ଅଭାବ ଦେଖାଦେବ ବୋଲି ଅଭିଯୋଗ ହୋଇଛି ।

ସଂକ୍ରାନ୍ତି ଆଗଦିନ ହଜାର ହଜାର ପାଟୁଆ ଭକ୍ତ ମା’ଙ୍କ ପୀଠରେ ପହଞ୍ଚି ବ୍ରତ ରଖିବା ସହ ଓପବାସ କରି ରାତି ଉଜାଗର ରହି ଦୀପ ଜାଳିଥାନ୍ତି । ପରଦିନ ଅର୍ଥାତ ପଣା ସଂକ୍ରାନ୍ତି ଦିନ ମାନସିକ ଧାରୀ ଭକ୍ତମାନେ ପାଟୁଆ ବେଶରେ ସଜେଇ ହୋଇ ମା’ଙ୍କ ପୀଠରେ ଥିବା ପୋଖରୀରେ ବୁଡ ପକାଇବା ସହ ବେତ ପ୍ରହାର କରିଥାନ୍ତି । ହେଲେ ପୀଠରେ ଥିବା ପୋଖରୀର ଅବସ୍ଥା ନକହିବା ଭଲ । ଭକ୍ତ ମାନଙ୍କ ମନକୁ ଶକ୍ତ ଆଘାତ ପକାଇବ ଏହି ପୋଖରୀ । ପୋଖରୀରୁ ପଙ୍କ ଉଦ୍ଧାର କାମ ଚାଲିଛି ଯେ ସରିନି ତେଣୁ ଭକ୍ତମାନେ କେଉଁଠି ବୁଡ ପକାଇବେ ସେ ଚିନ୍ତାରେ ଅଛନ୍ତି । ଅନ୍ୟପଟେ ଭକ୍ତମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ପୀଠର ପୂଜକ କହିଛନ୍ତି ।

ଦୀର୍ଘ ୧୦ ଦିନ ଧରି ଚାଲିବ ଏହି ମେଳା । ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେବ । ତେଣୁ ଏବେ ଠୁ ପୀଠରେ ଦୋକାନ ବଜାର ବସିଲାଣି । ଭକ୍ତମାନେ ଆସି ମା’ଙ୍କୁ ମାଟି ଘୋଡ଼ା ଅର୍ପଣ କରି ମାନସିକ ପୂରଣ କରିବେ  । କାରଣ ମାଙ୍କୁ ମାଟି ଘୋଡା ଅର୍ପଣ କଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କର ବିଶ୍ବାସ ରହିଛି ।

Also Read:ସିଦ୍ଧେଶ୍ୱର ପୀଠରେ ବଡ ଧୁମଧାମରେ ପାଳିତ ହୋଇଯାଇଛି ଅଶୋକାଷ୍ଟମୀ