ବଦଳିଲା ପିସିସି ସଭାପତିଙ୍କ ବିରୋଧୀରେ ମେଳି କରିଥିବା ନେତାଙ୍କ ସ୍ୱର, କହିଲେ ନିରଞ୍ଜନ ହେଉଛନ୍ତି ରାଜ୍ୟ କଂଗ୍ରେସର ଭୀଷ୍ମପିତାମହ

ଭୁବନେଶ୍ବର(କେନ୍ୟୁଜ୍): ବଦଳିଲା ପିସିସି ସଭାପତିଙ୍କ ବିରୋଧୀରେ ମେଳି କରିଥିବା ନେତାଙ୍କ ସ୍ୱର । ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ କହିଛନ୍ତି, ନିରଞ୍ଜନ ହେଉଛନ୍ତି ରାଜ୍ୟ କଂଗ୍ରେସର ଭୀଷ୍ମପିତାମହ । ତାଙ୍କ ନେତୃତ୍ୱରେ କଂଗ୍ରେସ ଆଗକୁ ଯିବ । କଂଗ୍ରେସ କେମିତି ମଜବୁତ ହେବ, ସେନେଇ ପିସିସି ସଭାପତିଙ୍କ ସହ ଆଲୋଚନା ହୋଇଥିବା କହିଛନ୍ତି । ପିସିସି ସଭାପତିଙ୍କ ବିରୋଧରେ ମେଳି କରିଥିବା କଂଗ୍ରେସ ନେତା ଆଜି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ଏକାଠି ହୋଇଥିଲେ । ନିରଞ୍ଜନ ପଟ୍ଟନାୟକଙ୍କ ସହ ଏମାନେ ବୈଠକ କରିଥିଲେ । ଏନେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଏହା ଆମ ପରିବାର । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଯେଉଁମାନେ ଏକାଠି ହୋଇଥିଲେ, ସେମାନେ ଯୁବକ । ବହୁତ ଦିନ ହେବ କଂଗ୍ରେସ ଦଳରେ କାମ କରୁଛନ୍ତି । ବର୍ତ୍ତମାନ କଂଗ୍ରେସର ସ୍ଥିତିକୁ ନେଇ ଚିନ୍ତିତ ହେବା ସ୍ୱାଭାବିକ । ଗତ ୩୦ ତାରିଖରେ ଏମାନେ ଏକାଠି ହୋଇଥିଲେ । ମହମ୍ମଦ ମୋକିମଙ୍କୁ ପରବର୍ତ୍ତୀ ପିସିସି ସଭାପତି କରିବାକୁ ଦାବି କରିଥିଲେ । ବିଭିନ୍ନ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାଜ୍ୟ ମୁଖିଆଙ୍କୁ ପଦରୁ ହଟାଇବାକୁ ଦଳ ଭିତରେ ସ୍ୱର ତୀବ୍ର ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.