କୋଟିଆରେ ପହଞ୍ଚି ଲୋକଙ୍କ ସହ କଥା ହେଲେ ପିସିସି ସଭାପତି

କୋରାପୁଟ (କେ ନ୍ୟୁଜ୍‌) : ବିବାଦୀୟ କୋଟିଆ ଅଂଚଳ ପରିଦର୍ଶନ କଲେ ରାଜ୍ୟ ପ୍ରଦେଶ କଂଗ୍ରେସ ମୁଖ୍ୟ ନିରଂଜନ ପଟନାୟକ । କୋଟିଆରେ ବିକାଶ କାର୍ଯ୍ୟ କରିଥିବାରୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ବେଳେ ଆନ୍ଧ୍ରର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ତେବେ ଆନ୍ଧ୍ର କିଭଳି ଭାବେ ଓଡ଼ିଶା ସୀମାରେ ପଶି ନିର୍ବାଚନ କରି ପାରିଲା ତାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିସିସି ସଭାପତି ।

କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର କେବଳ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି, ଉଭୟ ସରକାର ସୀମା ବିବାଦର କାହିଁକି ସମାଧାନ ନକରି ନିରବା ଦ୍ରଷ୍ଟା ସାଜିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର କୋଟିଆରେ ଭିତ୍ତିଭୂମିର ବିକାଶ କରିଛନ୍ତି ସତ ହେଲେ ଲୋକଙ୍କ ଶିକ୍ଷା ସ୍ବାସ୍ଥ୍ୟ ଏବଂ ଜୀବନ ଜୀବିକାର ଉନ୍ନତି ହୋଇ ପାରି ନାହିଁ ବୋଲି ନିରଞ୍ଜନ କହିଛନ୍ତି ।

ସେ କୋଟିଆ ପଂଚାୟତର କୋଟିଆ, ଫାଟୁସିନେରୀ, ଫଗୁଣ ସିନେରି, ତଳ ଗଂଜେଇ ପଦାର ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମେତ କୋରାପୁଟ, ରାୟଗଡ଼ା, ନବରଂଗପୁର, ମାଲକାନଗିରି ଜିଲ୍ଲାର କଂଗେସ ସଭାପତି ଓ ନେତାମାନେ ଗସ୍ତ କରିଥିଲେ ।

ଅପରପକ୍ଷେ ସ୍ଥାନୀୟ ଲୋକେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିବା ସହ କଂଗ୍ରେସ ଓ ବିଜେପି ନେତାଙ୍କ ଗସ୍ତରେ ସେଭଳି କିଛି କୋଟିଆ ବାସୀଙ୍କ ବିକାଶ ହୋଇପାରିବ ନାହିଁ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.