କୋଣାର୍କ: ଆମେ ଅନେକ ସମୟରେ ବିଭିନ୍ନ ଦାବିରେ ଧାରଣାରେ ବସୁଥିବା ଖବର ପ୍ରକାଶିତ କରିଛନ୍ତି । ପ୍ରତେକ ଧାରଣା ଦିନେ କି ଦୁଇଦିନ କିମ୍ବା ଅତିବେଶୀରେ ୫ ଦିନ ହୋଇଥାଏ କିନ୍ତୁ ଏହି ଧାରଣା ଦୀର୍ଘ ୨୯ ବର୍ଷରେ ପଦାର୍ପଣ କରିଛି । ଗତ ୧୯୯୬ ମସିହା ଠାରୁ କୋଣାର୍କ ସୁରକ୍ଷା ସମିତିର ପ୍ରାକ୍ତନ ରାଜ୍ୟ ଆବାହକ ସ୍ବର୍ଗତ ସୁରେନ୍ଦ୍ର ନାଥ ମିଶ୍ର ଓ ପ୍ରାକ୍ତନ ସଭାପତି ସ୍ବର୍ଗତ ବାଦଲ ଦାଶଙ୍କ ନେତୃତ୍ବରେ ସୂର୍ଯ୍ୟ ମନ୍ଦିରର ଉପଯୁକ୍ତ ସଂରକ୍ଷଣ, ମନ୍ଦିରର ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ସୂର୍ଯ୍ୟ ମନ୍ଦିର ପରିକ୍ରମା ଓ ପ୍ରତି ଶନିବାର ସୂର୍ଯ୍ୟ ମନ୍ଦିର ପ୍ରବେଶ ଶ୍ଲୁକ ଛାଡ ଦାବିରେ ନିରବଛିନ୍ନ ଓ ନିରନ୍ତର ଭାବେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଗଣଧାରଣା ୨୯ ବର୍ଷରେ ପଦାର୍ପଣ କରିଛି । ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ଓଡିଆ ଜାତିର ଗର୍ବ ଗୌରବ ତଥା ଓଡିଆ ଅସ୍ମିତାର ପ୍ରତୀକ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେବା ନେଇ କୋଣାର୍କ ସୁରକ୍ଷା ସମିତିର ନୂତନ ସଭାପତି ତଥା ୯ନଂ ଓ୍ବାର୍ଡ କାଉନସିଲର ସୌମ୍ୟ ସୌରଭ ଦାଶ ପ୍ରତିକ୍ରିୟା ରଖିଛନ୍ତି ।
ଧାରଣାରେ କୋଣାର୍କ ସୁରକ୍ଷା ସମିତିର ସମ୍ପାଦକ ରାମକୃଷ୍ଣ ମହାନ୍ତି, ମୁଖ୍ୟ ଉପଦେଷ୍ଟା ବାବା ଶକ୍ତିଦେବ ଶତପଥୀ, ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସହସମ୍ପାଦକ ଉମା ଶଙ୍କର ଆଚାର୍ଯ୍ୟ, ସମିତିର ଉପସଭାପତି ମଙ୍ଗରାଜ ସାହୁ, ମିଡିଆ ସେଲ ସଂଯୋଜକ ପ୍ରତାପ କାଣ୍ଡି, ସହସଂପାଦକ ନିରଞ୍ଜନ ତ୍ରିପାଠୀ, ସଭ୍ୟ ପ୍ରମୋଦ ଛୋଟରାୟ, ରାଧାଶ୍ୟାମ ରାଉତ ଓ ଅଶୋକ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଶାନ୍ତିପୂର୍ଣ୍ଣ ଗଣଧାରଣାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ବିଶ୍ବର ଐତିହ୍ୟ ଓ ସଂସ୍କୃତିର ମୂର୍ତ୍ତିମନ୍ତ ପ୍ରତୀକ ସୂର୍ଯ୍ୟ ମନ୍ଦିର ହେଉଛି ଓଡିଆ ଜାତିର ଅସ୍ମିତାର ପ୍ରତୀକ ଓ ଆଲୋକ ବର୍ତୀକା ସଦୃଶ । ଏହାର ଉପଯୁକ୍ତ ସଂରକ୍ଷଣ, ପ୍ରତି ଶନିବାର ସୂର୍ଯ୍ୟ ମନ୍ଦିରକୁ ମୁକ୍ତ ପ୍ରବେଶ, ସୂର୍ଯ୍ୟ ମନ୍ଦିର ପରିକ୍ରମା, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ମନ୍ଦିରର ପାରିପାର୍ଶିକ ବିକାଶ ଆଦି ଦାବି ପୂରଣ ନେଇ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବିଶ୍ବ ହିନ୍ଦୁ ପରିଷଦର ରାଜ୍ୟ ସହସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ଓ ପବିତ୍ର କୁମାର ସ୍ବାଇଁଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିବା ପରେ ପ୍ରତିଶୃତି ମିଳିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।