ବେଟିଂ ଓ ଗେମିଂ ଆପରେ ଲଗାଇଥିଲେ ସରକାରୀ ଟଙ୍କା, ପଦବୀର ଅପବ୍ୟବହାର କରି ଗିରଫ ହେଲେ ପିଇଓ

୪୩ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ପିଇଓ ଗିରଫ । ଗଞ୍ଜାମ ଜିଲ୍ଲା  ସାନଖେମୁଣ୍ଡି ରାଧାଦେଈପୁର ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଟଙ୍କା ହଡପ କରି କ୍ରିକେଟ ବେଟିଂ ଓ ଗେମିଂ ଆପରେ ଲଗାଇଥିଲେ । ଅର୍ଥ ଆତ୍ମସାତ ଅଭିଯୋଗ ପରେ ଗତ ୧୩ ତାରିଖରେ ତାଙ୍କର ହୋଇଥିଲା ବଦଳି ।

ସରକାରୀ ଚାକିରି ଆରମ୍ଭରୁ ଟଙ୍କା  ଆତ୍ମସାତ ।  ନିଜ ପଦବୀର ଅପବ୍ୟବହାର ଓ ସରପଞ୍ଚଙ୍କ ଜାଲ ଦସ୍ତଖତ କରି ପିଇଓ କ୍ଷେତ୍ରମୋହନ ପଞ୍ଚାୟତର ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ  ୪୩ ଲକ୍ଷ ୧ ହଜାର ୬୪୦ ଟଙ୍କା  ଚେକରେ ଉଠାଇ ଥିଲେ ।   ଏହି  ଟଙ୍କାକୁ  ସେ କ୍ରିକେଟ ବେଟିଂ ଓ ଗେମିଂ ଆପରେ ଲଗାଇଥିଲେ । ଏନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି ।

ଗତ ବର୍ଷ ଜୁଲାଇରେ ରାଧାଦେଈପୁର ପଞ୍ଚାୟତ ଅଫିସରେ ପିଇଓ ଭାବେ ଚାକିରି ଆରମ୍ଭ କରିଥିଲେ କ୍ଷେତ୍ରମୋହନ ନାୟକ । ସେ ୪୩ ଲକ୍ଷରୁ ଅଧିକ ଟଙ୍କା ହଡପ କରିଥିବା ନେଇ ଅଭିଯୋଗ ପରେ  ରାଧାଦେଈପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଖୋଳତାଡ଼ କରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍। କାଗଜପତ୍ର  ଯାଞ୍ଚ କରିବା ସହିତ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ଭିଜିଲାନ୍ସ ଅଧିକାରୀ ।  ପିଇଓଙ୍କ କାର୍ଯ୍ୟାଳୟରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ପିଇଓ କ୍ଷେତ୍ରମୋହନଙ୍କୁ  ଟଙ୍କା ହଡପ କରିଥିବା ନେଇ ପ୍ରମାଣ ମିଳିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

କ୍ଷେତ୍ର ମୋହନଙ୍କ ବିରୋଧରେ ଟଙ୍କା ଆତ୍ମସାତ ଅଭିଯୋଗ ଆସିବା ପରେ ଗତ ୧୩  ତାରିଖରେ ତାଙ୍କୁ ବଦଳି କରାଯାଇ ରାଧାଦେଈପୁର ପଞ୍ଚାୟତରେ ଆଉ ଜଣେ ପିଇଓଙ୍କ ନିଯୁକ୍ତି ଦିଆଯାଇଥିଲା ।

Also Read: ବକେୟା ଭତ୍ତା ନ ମିଳିବାରୁ ଅସନ୍ତୁଷ୍ଟ ୱାର୍ଡ ମେମ୍ବର, ପିଇଓଙ୍କୁ ଅଫିସ ଭିତରେ ପକାଇଲେ ତାଲା