ଆୟୁର୍ବେଦ ଓ ଯୋଗ ପ୍ରତି ବିଶ୍ବବାସୀ ଆକର୍ଷିତ ହେଉଛନ୍ତି : ରାଷ୍ଟ୍ରପତି
ସୁଷମ ଖାଦ୍ୟ ଖାଇ ସୁସ୍ଥ ରୁହ । ଯୋଗ କରି ରୋଗମୁକ୍ତ ରୁହ । ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ହୀରକ ଜୟନ୍ତୀ ଉତ୍ସବରେ ଅଭିଭାଷଣରେ ଏହି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ଗୋପବନ୍ଧୁ ଆୟୁର୍ବେଦ କଲେଜର ହୀରକ ଜୟନ୍ତୀ ଉତ୍ସବରେ ସାମିଲ ହୋଇଥିଲେ ମହାମହିମ । ଏହି ଅବସରରେ ସେ କହିଥିଲେ, ଭାରତର ଆୟୁର୍ବେଦ ଓ ଯୋଗ ପ୍ରତି ବିଶ୍ବବାସୀ ଆକର୍ଷିତ ହେଉଛନ୍ତି । ଆମର ପ୍ରାଚୀନ ପୋଥିରେ ଥିବା ଚିକିତ୍ସା ପଦ୍ଧତି ସହ ଆଦିବାସୀ ପରମ୍ପରାରେ ଚେରମୂଳିର ପ୍ରଚଳନ ଉପରେ ଅଧିକ ଗବେଷଣା ଆବଶ୍ୟକ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଦିବାସୀ ସଂପ୍ରଦାୟରେ ଏକ ଚିକିତ୍ସା ପଦ୍ଧତି ପ୍ରଚଳିତ । ବୟସ୍କ ଅଧିବାସୀ ଲୋକଙ୍କ ମଧ୍ୟରୁ କେତେକ ବିଭିନ୍ନ ରୋଗ ଏବଂ ସେ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଚେରମୂଳ ବିଷୟରେ ଜାଣିଛନ୍ତି । ସେହି ପାରମ୍ପରିକ ଜ୍ଞାନ ଧୀରେ ଧୀରେ ଲୋପ ପାଇବାକୁ ବସିଛି । ତୁମମାନଙ୍କ ମଧ୍ୟରୁ କେତେକ ସେହି ଚିକିତ୍ସା ପଦ୍ଧତି ଭିତ୍ତି ଅନ୍ବେଷଣ କରିବାକୁ ଆଗ୍ରହୀ ହେବ ବୋଲି ମୁଁ ଆଶା କରୁଛି । ଏହାଦ୍ବାରା ସେହି ପଦ୍ଧତି ବିଲୁପ୍ତ ହେବାରୁ ରକ୍ଷା ପାଇପାରିବ ଏବଂ ସମାଜର ହିତରେ ଲାଗି ପାରିବ ବୋଲି ବୋଲି ରାଷ୍ଟ୍ରପତି କହିଛନ୍ତି ।
ରାଜ୍ୟ ସଂଗ୍ରହାଳୟରେ ଅନେକ ତାଳପତ୍ର ପୋଥି ରହିଛି । ଅନେକଙ୍କ ଘରେ ମଧ୍ୟ ତାଳପତ୍ର ରହିଛି । ସେସବୁ ତାଳପତ୍ର ପୋଥିରେ ସାହିତ୍ୟ ବ୍ୟତୀତ ଚିକିତ୍ସା ପଦ୍ଧତି ସଂପର୍କରେ ଅବତାରଣ କରାଯାଇଛି । ଏ ଦିଗରେ ତୁମେମାନେ ଗବେଷଣା କରି ଲୁକ୍କାୟିତ ଭାବରେ ଥିବା ଆମ ଚିକିତ୍ସା ପଦ୍ଧତିକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରିବ ବୋଲି ମୁଁ ଆଶା କରୁଛି । ଗବେଷଣା ଯେ କୌଣସି ପଦ୍ଧତିର ବେଜ୍ଞାନିକ ଭିତ୍ତିକୁ ପ୍ରମାଣ କରିବାକୁ ସକ୍ଷମ । ପ୍ରମାଣ ଲୋକଙ୍କ ମଧ୍ୟରେ ଆସ୍ଥା ବୃଦ୍ଧି କରେ ଏବଂ ଆସ୍ଥା ଗ୍ରହଣୀୟତାର ମାର୍ଗ ପ୍ରଶସ୍ତ କରେ ବୋଲି ରାଷ୍ଟ୍ରପତି କହିଛନ୍ତି ।