ଗାଁ ମାନଙ୍କରେ ଦେଖିବାକୁ ମିଳୁନି ଶିକା, କିନ୍ତୁ କୌଳିକ ବୃତ୍ତିକୁ ଛାଡିପାରୁ ନାହାଁନ୍ତି ଲୋକେ

ଗାଁର ଘରେ ଘରେ ଚାଲିଛି ଦଉଡି କାମ ।  ଟିକେ  ଫୁରୁସତ ପାଇଲେ ଘରର ମହିଳା, ପୁରୁଷ, ଏପରିକି ପିଲାମାନେ ଲାଗି ପଡନ୍ତି କାମରେ । କାରଣ ଏହା ହେଉଛି ସେମାନଙ୍କର କୌଳିକ ବୃତ୍ତି । ଗାଁ ମାନଙ୍କରେ ଆଉ ଦେଖିବାକୁ ମିଳୁନି ଶିକା, ସେହିପରି ଚାଷ କାମରେ ଆଉ ବ୍ୟବହାର ହେଉନି ଲଙ୍ଗଳ । ଲୋକମାନେ  ଗାଈ ବଳଦ ରଖିବା ବି ଧୀରେ ଧୀରେ କମେଇ ଦେଲେଣି ତେଣୁ ଆଉ ବେଶି ଦରକାର ହେଉନି ପଘା ଦଉଡି । ତଥାପି ଗାଁର ଲୋକମାନେ ଜାରି ରଖିଛନ୍ତି ସେମାନଙ୍କ କାମ । ସୁତୁଲି, ଜୋତ, ଲଙ୍ଗଳ ଦଉଡି, ପଘା, ଶିକ୍କା ଇତ୍ୟାଦି ଅନେକ ପୁରୁଣା କାଳିଆ ଜିନିଷ ଏହି ବେଗୁନିଆ ବ୍ଲକ ଗୋଲାପାଟଣା ଗାଁରେ ତିଆରି ହୋଇଥାଏ । ଆଉ ଏସବୁ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି ସବୁ କାରିଗର । ଧୀରେ ଧୀରେ ଗାଈ ଗୋରୁଙ୍କ ବ୍ୟବହାର କମିବାକୁ ଲାଗିଲାଣି । ଆଉ ସେମାନଙ୍କ ପାଇଁ ବ୍ୟବହାର ସାମଗ୍ରୀର ଚାହିଦା ମଧ୍ୟ କମିଗଲାଣି । ହେଲେ ପୂର୍ବପୁରୁଷ ଧରି ଚାଲିଥିବା କୌଳିକ ବୃତ୍ତିକୁ ଛାଡିପାରୁ ନାହାଁନ୍ତି ଲୋକେ ।

ଗୋଲାପାଟଣା ଗାଁର ୮୦ ଭାଗ ଲୋକ ସେମାନଙ୍କ ଏହି କୌଳିକ ବୃତ୍ତିରେ ନିୟୋଜିତ ଅଛନ୍ତି । ସେହିପରି ଆଶାନୁରୂପ ଲାଭ ହେଉ ନଥିଲେ ମଧ୍ୟ ବାପା ଜେଜେବାପାଙ୍କ ଅମଳରୁ ଚାଲିସୁଥିବା ଏହି କାମକୁ ଏଯାଏଁ ଛାଡି ପାରୁନାହାନ୍ତି ଲୋକେ। କଞ୍ଚାମାଲ ଭାବେ ଝୋଟ ବି ଆଉ ଆବଶ୍ୟକ ମୁତାବକ ମିଳୁନାହିଁ । ଖଣ୍ଡିଆ ଜରି ବସ୍ତାକୁ ଆଣି ଏବେ ପ୍ଲାଷ୍ଟିକ ସରଞ୍ଜାମ ତିଆରି କରୁଛନ୍ତି । ସେପଟେ ଏହା ଏକ ଭଲ କୁଟୀର ଶିଳ୍ପ ହୋଇଥିବା ବେଳେ ସରକାରୀ ପ୍ରୋତ୍ସାହନ ମିଳୁନାହିଁ ।

କାରିଗରମାନଙ୍କୁ ନୂତନ ଜ୍ଞାନକୌଶଳ ସହିତ ମେସିନ ଇତ୍ୟାଦି ଯୋଗାଇ ଦେବାକୁ ଲୋକମାନେ ଆଶା ରଖିଛନ୍ତି । ଅନ୍ୟପଟେ କୁଟୀର ଶିଳ୍ପର ଗାଁ ଘୋଷଣା କରିବାକୁ ଅନେକଥର ସ୍ଥାନୀୟ ପ୍ରଶାସନକୁ ଜଣାଇଛନ୍ତି ଗାଁ ବାସିନ୍ଦା । କିନ୍ତୁ ସେମାନଙ୍କ ଏହି ଆଶା ଏଯାଏଁ ପୁରା ହୋଇପାରିନି । ତେଣୁ ଏମାନଙ୍କ ପ୍ରତି ପ୍ରଶାସନ ଦ୍ରୁଷ୍ଟି ଦେଲେ ଏମାନଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା ।