ଟଙ୍କା ବ୍ୟାଗ ଝାମ୍ପି ନେଉଥିବାବେଳେ ଲୁଟେରାକୁ କାବୁ କଲେ ଲୋକେ, ଖାଇଲା ନିର୍ଦ୍ଧୁମ ଛେଚା

ମରିଚ ଗୁଣ୍ଡ ଓ ବୋମା ପକାଇ ଲୁଟିବାକୁ ଉଦ୍ୟମ କରୁଥିଲେ ଲୁଟେରା । କିନ୍ତୁ ଠିକ୍ ସମୟରେ ଜଣେ ଲୁଟେରାକୁ କାବୁ କରିନେଲେ ଲୋକେ । ବାସ୍ ତା ପରେ ନିର୍ଦ୍ଧୁମ ଛେଚା ଖାଇଲା ଲୁଟେରା । ଟଙ୍କା ଧରି ଘରୁ ବାହାରୁଥିଲେ ସାବଧାନ । କାରଣ ବଜାରରେ ଘୂରି ବୁଲୁଛନ୍ତି ଲୁଟେରା । ଆଉ ଲୁଟିବା ପାଇଁ ଲୋକଙ୍କୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି ଏମାନେ । ଭବାନୀପାଟଣା ସହରରେ ଦିନ ଦିପହରେ ହୋଇଥିଲା ଡକାୟତି ଉଦ୍ୟମ । ମରିଚ ଗୁଣ୍ଡ ସହିତ ବୋମା ପକାଇ ଟଙ୍କା ବ୍ୟାଗ ଝାମ୍ପି ନେବା ପାଇଁ କରୁଥିଲେ ଉଦ୍ୟମ । କିନ୍ତୁ ଲୋକଙ୍କ ହାତରେ ଧରା ପଡ଼ିଲା ଜଣେ ଡକାୟତ । ଆଉ ଡକାୟତକୁ କାବୁ କରିବା ବେଳେ ଫେରାର ହୋଇଗଲେ ଅନ୍ୟ ଦୁଇ ଡକାୟତ ।
ସୂଚନା ଅନୁଯାୟୀ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନୀପୁର ଗାଁର ନରେଶ ସାହୁ ଟଙ୍କା ଜମା କରିବା ପାଇଁ ବ୍ୟାଙ୍କକୁ ଯାଉଥିଲେ । ଭବାନୀପାଟଣା ମହାବୀରପଡା ନିକଟରେ ଗୋଟିଏ ଦୋକାନରେ ଥଣ୍ଡା ପିଇବା ପାଇଁ ଅଟକିଥିଲେ । ଏହି ସମୟରେ ତିନି ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ତାଙ୍କ ଉପରେ ମରିଚ ଗୁଣ୍ଡ ଫିଙ୍ଗିବା ସହିତ ଗୋଟିଏ ବୋମା ଫିଙ୍ଗିଥିଲେ । ପରେ ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗକୁ ଝାମ୍ପିବା ପାଇଁ ଚେଷ୍ଟା କରିବାବେଳେ ନରେଶ ସାହୁ ଚା’ ଦୋକାନ ଭିତରେ ଲୁଚି ଯାଇଥିଲେ । ବୋମା ଫୁଟିବା ଶବ୍ଦ ଶୁଣି ଲୋକେ ଘଟଣାସ୍ଥଳରେ ଜମା ହୋଇଯିବା ଫଳରେ ଦୁବୃର୍ତ୍ତମାନେ ସେଠାରୁ ଖସି ଯିବା ପାଇଁ ଚେଷ୍ଟା କଲେ । କିନ୍ତୁ ଜଣେ ଡକାୟତକୁ କାବୁ କରିବାରେ ସଫଳ ହୋଇଥିଲେ ଲୋକେ । ତେବେ ଦୁଇ ଜଣ ଦୁବୃର୍ତ୍ତ ଫେରାର ହୋଇଥିବା ପୋଲିସ ସୂଚନା ଦେଇଛି ।
ଭବାନୀପାଟଣା ଅଞ୍ଚଳରେ ଏଭଳି ଲୁଟ୍ ଘଟଣା ଲୋକଙ୍କ ମନରେ ଭୟ ସ୍ରୁଷ୍ଟି କରିଛି । ଲୁଟେରାଙ୍କ ଭୟରେ ଲୋକମାନେ ଘରୁ ବାହାରିବାକୁ ଭୟ କଲେଣି । ତେବେ ଧରାପଡ଼ିଥିବା ଏହି ଲୁଟେରା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତାହା ହିଁ ସାଧାରଣରେ ଦାବି । ଅନ୍ୟପଟେ ଏହି ଲୁଟ୍ ଘଟଣାରେ ଫେରାର ହୋଇଥିବା ଅନ୍ୟ ଦୁଇ ଲୁଟେରାଙ୍କୁ ଧରାଗଲେ ହିଁ ଅନ୍ୟ ଅପରାଧୀମାନେ ଏଭଳି ଅପରାଧ କରିବାକୁ ନିଶ୍ଚିତ ଭାବେ ଭୟ କରିବେ । ତେବେ ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।
Also Read: କଟକ ପୋଲିସ ମୁଖ୍ୟାଳୟ ନିକଟରୁ ଲୁଟ୍, ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେଲେ ଦୁର୍ବୃତ୍ତ