ସରକାର କଲେ ସେଲଟର ହୋମ୍, ହେଲେ ହାଡ଼ଭଙ୍ଗା ଶୀତରେ ବାହାରେ ଶୋଉଛନ୍ତି ଲୋକେ

କଟକ (କେ ନ୍ୟୁଜ୍) : କିଏ ବସ୍ଷ୍ଟାଣ୍ଡ ଚଟାଣରେ ତ କିଏ ଝରକା ଖୋପରେ ପୁଣି କିଏ ରାତି କଟାଉଛି ରାସ୍ତା କଡ଼ ଫୁଟ୍ପାଥ୍ରେ । ରାଜ୍ୟରେ ଅସହ୍ୟ ଶୀତର ଲହରି, ରାତିରେ ତାପମାତ୍ରା ୧୦ ଡିଗ୍ରୀରୁ ବି କମ୍ ରହୁଛି । ଭୀଷଣ ଥଣ୍ଡା ସାଙ୍ଗକୁ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ଅନେକ ଲୋକ । କଟକ ସହରରେ ଏଇ ହାଡ଼ଭଙ୍ଗା ଜାଡ଼ ଲୋକଙ୍କ ଜୀବନ ଜୀବିକାକୁ ଅସ୍ତବ୍ୟସ୍ତ କରି ପକାଉଛି। ଲୋକମାନେ ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ମେଡିକାଲ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ଏପରିକି ସହରର ବିଭିନ୍ନ ଦୋକାନ ବଜାର ଓ ରସ୍ତାକଡ଼ରେ ମଧ୍ୟ ଲୋକେ ଶୋଇଥିବାର ଦେଖିବାକୁ ମିଳୁଛି । କେଉଁଠି ଟିକିଏ ଛାତ ତଳ ପାଇଲେ କଣ ଖଣ୍ଡେ ଘୋଡ଼େଇ ହୋଇ ଶୋଇ ପଡୁଛନ୍ତି । ସେ କାନ୍ଥର ଝରକା ଖୋପ ହେଉ ଅବା କାହାର ବାରଣ୍ଡା ।
ଏମାନେ ପ୍ରାୟ ସମସ୍ତେ ଦିନ ମଜୁରିଆ ଅଥବା ରିକ୍ସି କିମ୍ବା ଅଟୋକ ଚାଳକ । ଆଉ କିଛି ରାସ୍ତା କଡ଼ରେ ବିଭିନ୍ନ ଜିନିଷ ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀ । ଘରେ କମଳ ତଳେ ବି ଶୀତ ସହିବା କଷ୍ଟ ହେଉଥିବା ବେଳେ ଏମାନେ ଆଉ କିଛି ଉପାୟ ନପାଇ ଏଭଳି ଅସହାୟ ଭାବେ ହାଡ଼ଭଙ୍ଗା ଶୀତରେ ବାହାରେ ପଡ଼ି ରହୁଛନ୍ତି । କାରଣ ଘର ଭଡ଼ା ନେଇ ରହିବା ଏମାନଙ୍କ ପକ୍ଷେ ସମ୍ଭବ ନୁହେଁ । ତେଣୁ ପେଟପାଟଣା ଓ ପରିବାର ପାଇଁ ଟଙ୍କା ସଞ୍ଚିବା ଲାଗି ଏଭଳି ଦୟନୀୟ ଅବସ୍ଥାରେ ରହିବାକୁ ପଡୁଛି ଏମାନଙ୍କୁ । ଏମିତି ରାତି ଉଜାଗର ଥିବା ଜଣେ ବୁଢ଼ୀ ମାଉସୀଙ୍କୁ ଆମେ ପଚାରିଲୁ ସେଲଟର୍ହୋମ୍କୁ କାହିଁକି ଯାଉ ନାହାନ୍ତି ବୋଲି । ତାଙ୍କ ଉତ୍ତର ଥିଲା, ସେଇଟା କଣ ? ଯାହାକୁ ପଚାରିଲୁ ସେମାନେ ବି ମନା କଲେ ରାତ୍ରୀ ଆଶ୍ରୟସ୍ଥଳୀ ବିଷୟରେ ଜାଣି ନାହାନ୍ତି ବୋଲି ।
ଲୋକଙ୍କ ପାଇଁ କଟକ ମହାନଗର ନିଗମ (ସିଏମସି) ଦ୍ୱାରା ୫ଟି ରାତ୍ରୀ ଆଶ୍ରୟସ୍ଥଳୀ ରହିଛି । ସେ ସବୁ ପ୍ରାୟ ଖାଲି ପଡୁଛି । ହେଲେ ଏହାର ସୁବିଧା ନେଇ ପାରୁନାହାନ୍ତି ଲୋକେ । ଏ ସମ୍ପର୍କରେ ଆମେ ସିଏମ୍ସି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଥିଲେ ଯେ ଲୋକେ ଏମିତି ବାହାରେ ଶୋଉଥିବା କଥା ଆମେ ଜାଣି ନାହୁଁ । ଆମେ ଲୋକ ପଠାଇ ଏହାର ଯାଞ୍ଚ କରିବୁ । ବାହାରେ ଶୋଉଥିବା ଲୋକଙ୍କୁ ସେଲଟର ହୋମ୍କୁ ପଠାଇବୁ ।
ସଚେତନତା ଅଭାବ ଅବା ସିଏମ୍ସି ଅଧିକାରୀଙ୍କ ଅବହେଳା ପାଇଁ ଏମାନେ ସରକାର କରିଥିବା ବ୍ୟବସ୍ଥାର ସୁବିଧା ନେଇ ପାରୁ ନାହାନ୍ତି । କାରଣ ସେଲଟରହୋମ୍ ଥାଇ ବି ଏମାନେ ବାହାରେ ଶୋଉଛନ୍ତି ।
ରିପୋର୍ଟ : ସତ୍ୟବ୍ରତ ସାମଲ, କଟକ