ପିପିଲି : ପୁରୀ ଜିଲ୍ଲା ବଳଙ୍ଗା ଥାନାର ସାହାଡ଼ା ପଡ଼ା ଗାଁରେ ନାଲି ପିମ୍ପୁଡ଼ି ଆତଙ୍କ । ଯୁଆଡ଼େ ଦେଖିଲେ ଖାଲି ପୁଳା ପୁଳା ନାଲି ପିମ୍ପୁଡ଼ି । ପୂରା ଗାଁରେ ମାଳ ମାଳ ନାଲି ପିମ୍ପୁଡ଼ି । ଘର, ଗଛ ଓ ବିଲା ବାଡ଼ିରେ ମାଡ଼ିଗଲେଣି । କାମ ଦେଉନି କୀଟନାଶକ । କେବଳ ଲୋକମାନେ ନୁହନ୍ତି ଗାଈ, ଗୋରୁ, ଛେଳି ଓ ମେଣ୍ଢା ପିମ୍ପୁଡ଼ିଙ୍କ କବଳରୁ କେହି ବାଦ ପଡ଼ୁ ନାହାନ୍ତି । ଘର ବାରି, ଖେଳ ପଡ଼ିଆ, ଦାଣ୍ଡ କୁଆଡେ ବି ଯାଇ ହେଉନାହିଁ । ନାଲି ପିମ୍ପୁଡ଼ି କାମୁଡ଼ିବା ପରେ ଯନ୍ତ୍ରଣା ହେବା ସହିତ ସେହି ସ୍ଥାନ ରେ କିଛି ସମୟ ପର୍ଯ୍ୟନ୍ତ ଫୁଲିଯିବାର ଦେଖିବାକୁ ମିଳୁଛି ।
ସ୍ଥିତି ଏପରି ହୋଇଛି ଯେ ଲୋକମାନେ ଗାଁ ଦାଣ୍ଡରେ ଚାଲି ଚାଲି ଯିବା ବି କଷ୍ଟ ହୋଇପଡ଼ିଲାଣି । ପିମ୍ପୁଡ଼ି ପାଇଁ ପାଦରେ ଜରିବାନ୍ଧି ଯିବା ଆସିବା କରୁଛନ୍ତି ଗାଁ ଲୋକ । ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣ ଦାବି ହୋଇଛି । ୩ ମାସ ତଳେ ସାହାଡ଼ାପଡ଼ାରେ ନାଲି ପିମ୍ପୁଡ଼ି ପ୍ରଥମେ ଦେଖିବାକୁ ମିଳିଥିଲା । ପିମ୍ପୁଡି କାମୁଡ଼ିବା ପରେ ବାହାରୁଥିବା ବିଷାକ୍ତ ଲାଳ ଯୋଗୁଁ ଲୋକଙ୍କ ଗୋଡ ହାତରେ ଘା ହେଇଯାଉଛି । କେବଳ ସାହଡ଼ାପଡ଼ା ନୁହେଁ ପାଖ ଗାଁ ନରୁଡ଼ା ଓ ପାର୍ବତୀପର ଲୋକ କଲବଲ ହେଉଛନ୍ତି ।