୩ ଦିନ ଧରି ବେଶ ଧୁମଧାମରେ ଦୀପାବଳି ପାଳନ କରନ୍ତି କୁଡ଼ୁମି ସଂପ୍ରଦାୟର ଲୋକେ

ଆଲୋକର ପର୍ବ ଦୀପାବଳି ପାଇଁ ସାରା ଦେଶରେ ଉତ୍ସବର ମାହୋଲ । ବିଭିନ୍ନ ସଂପ୍ରଦାୟର ଲୋକେ ନିଜ ନିଜ ଶୈଳୀରେ ଏହି ପର୍ବକୁ ଧୁମଧାମରେ ପାଳନ କରୁଥିବା ବେଳେ କୁଡ଼ୁମି ସଂପ୍ରଦାୟର ଲୋକମାନେ ମଧ୍ୟ କୌଣସି କ୍ଷେତ୍ରରେ ପଛୁଆ ନାହାଁନ୍ତି  । ବିଶେଷ କରି ୩ ଦିନ ଧରି ବେଶ  ଧୁମଧାମରେ  ପାଳନ କରା ଯାଇଥାଏ ଏମାନଙ୍କ ଦୀପାବଳି । ବିଶେଷ କରି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଏହି କୃଷିଭିତ୍ତିକ ପର୍ବ ପାଳନରେ ଏକ ସ୍ବତନ୍ତ୍ରତା ଦେଖା ଯ଼ାଇଥାଏ।

କେନ୍ଦୁଝର ଜିଲ୍ଲାର କୁଡ଼ୁମି ସଂପ୍ରଦାୟର ଲୋକମାନଙ୍କ ସବୁଠାରୁ ବଡ ପର୍ବ ଦିପାବଳୀ ପାଳନ ପାଇଁ ଏବେ ଗାଁ ଗାଁରେ ଉତ୍ସବର ମାହୋଲ । ଘଟଗାଁ ବ୍ଲକ କେନ୍ଦୁଆପଡା ଗାଁରେ ଏହି ପର୍ବ ବେଶ ଧୁମଧାମରେ ୩ ଦିନ ଧରି ପାଳିତ ହେଇଥାଏ । ପର୍ବ ପାଳନ ପାଇଁ ଗ୍ରାମବାସୀ ନୂଆମାଟିରେ ଘରକୁ ଲିପାଲିପି  କରି ୧୦ ଦିନ ପୁର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ପରିବାରର ସମସ୍ତ ସଦସ୍ୟ ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ଏହି ପର୍ବରେ ବର୍ଷ ସାରା ଚାଷ କାମରେ ସାହାଯ୍ୟ କରି ଆସୁଥିବା ଗୋମାତାଙ୍କୁ ପୂଜା କରାଯାଏ । ଗାଇ ଗୋରୁଙ୍କୁ ଭଲ ଭାବରେ ଗାଧୋଇ ଦେବା ପରେ ଶିଙ୍ଗରେ ତେଲ ଲଗାଇ ଦିଆ ଯାଇଥାଏ । ଦୀପାବଳି ଦିନ ଅପରାହ୍ନରେ ଗାଁର ସମସ୍ତ ଗାଇଗୋରୁଙ୍କୁ ଗାଁ ମୁଣ୍ଡ ଗୋଠରେ ଏକାଠି କରାଯାଇ ପୂଜା କରାଯାଏ । ଏହି ସମୟରେ ପିଠାପଣା ସହ ମାଦଳର ତାଳେ ତାଳେ ନାଚଗୀତରେ ଗ୍ରାମବାସୀମାନେ ମଜ୍ଜି ଯାଇଥାନ୍ତି ।

ସେହିପରି ଦ୍ବିତୀୟ ଦିନରେ  ନୂଆମାଟି ଲିପା ଯାଇଥିବା ଗାଁ ଦାଣ୍ଡରୁ ଗୁହାଳ ପର୍ଯ୍ୟନ୍ତ ଝୋଟି ପକାଯାଇ ଥାଏ । ଝୋଟି ମାଡିବା ପରେ ଗୋମାତା ଘରକୁ ପ୍ରବେଶ କଲେ ଭଲ ଚାଷ ହେବା ସହିତ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥିବା ବିଶ୍ବାସ ରହିଛି । ଏହି ଦିନ ଗୁହାଳରେ ମହିଳାମାନେ ଗୋମାତାକୁ ଧୂପ ଦୀପରେ ବନ୍ଦାପନା କରିଥାନ୍ତି । ପରେ ଉତ୍ପାଦିତ ନୂଆ ଶଷ୍ୟରେ ରୋଷେଇ କରାଯାଏ ଏବଂ ପୂର୍ବ ପୁରୁଷମାନଙ୍କୁ ଭୋଜନ ଦିଆଯାଇଥାଏ । ଏହାକୁ ବନ୍ଦନା ପର୍ବ ମଧ୍ୟ କୁହାଯାଇଥାଏ । ଶେଷ ଦିନକୁ କୁହାଯାଇଥାଏ ଧିଙ୍ଗୱାନି କାରଣ ମାଦଳର ସ୍ୱର ଧିଙ୍ଗ ଧିଧାଙ୍ଗ ଧିନ ପରି ଶୁଭିଥାଏ । ଆଉ ଏହି ଶବ୍ଦର ତାଳେ ତାଳେ ଗାଇ ଗୋରୁଙ୍କୁ ନଚା ଯାଇଥାଏ । ଗାଁ ଲୋକେ ଏହି ଗଣ ପର୍ବକୁ ତିନି ଦିନ ଯାକ ବେଶ ଧୁମଧାମରେ ପାଳନ କରିଥାନ୍ତି । କେନ୍ଦୁଆପଡା ଗାଁରେ ୩ଦିନ ଧରି ମଉଜ ମଜଲିସରେ ଏହାକୁ ପାଳନ କରାଯାଏ । ପର୍ବ ସରିଗଲା ପରେ ଆସନ୍ତା ବର୍ଷକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି ଗ୍ରାମବାସୀ ।