କେନ୍ଦ୍ରାପଡା: ମଦ ଦୋକାନ ବନ୍ଦ ଦାବିରେ ତାତିଲେ ଲୋକେ । ମଦ ଦୋକାନ ବନ୍ଦ କରିବାକୁ ନେଇ ବଢ଼ୁଛି ଅସନ୍ତୋଷ । ମଦ ଦୋକାନ ଉଛେଦ ଦାବିରେ ଏକଜୁଟ ହୋଇଛନ୍ତି ଶହ ଶହ ଲୋକେ । ନିଶା ପାଇଁ କେତେ ପରିବାର ଛାରଖାର ହେଉଛି । ନିଶାରେ ଅସାମାଜିକ ଲୋକେ ଅପରାଧ କରିବାକୁ ବି ପଛାନ୍ତି ନାହିଁ । ଏହି ସବୁ ଅପରାଧ ବନ୍ଦ କରିବା ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଜୁଆଣିଆ ପଞ୍ଚାୟତର ଶହ ଶହ ବାସିନ୍ଦା ।
ଜୁଆଣିଆ ପଞ୍ଚାୟତରେ ଥିବା ସରକାରୀ ମଦଦୋକାନକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏନେଇ ଜୁଆଣିଆ, ସଂସିଧା, ଏରଡଙ୍ଗ ପଞ୍ଚାୟତର ୩୦୦ରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀ ମଦ ଦୋକାନ ଉଛେଦ ଦାବିରେ ଏକାଠି ହୋଇଛନ୍ତି । କେନ୍ଦ୍ରାପଡା ଜିଲାପାଳ ଓ ଅବକାରୀ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ପଞ୍ଚାୟତବାସୀ । ମଦ ଦୋକାନ ଠାରୁ ୨୦୦ ମିଟର ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ, ଆୟୁର୍ବେଦିକ ଚିକିତ୍ସାକେନ୍ଦ୍ର ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ରହିଛି । ମଦ ପିଇ ଅସମାଜିକ ଯୁବକମାନେ ବିଭିନ୍ନ ସମୟରେ ଛାତ୍ରୀମାନଙ୍କୁ ଖରାପ ବ୍ୟବହାର କରୁଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏମିତି କି ସମସ୍ତ ଆଇନ କାନୁନ ଉଲଙ୍ଘନ କରାଯାଇ ପ୍ରତିବର୍ଷ ମଦ ଦୋକାନର ନବୀକରଣ କରାଯାଉଛି । ଜୁଆଣିଆ ଅଞ୍ଚଳରେ ଥିବା ଦୋକାନକୁ ତୁରନ୍ତ ଉଛେଦ କରାନଗଲେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ଅଭିଯୋଗକାରୀମାନେ କଡ଼ା ଚେତାବନୀ ଦେଇଛନ୍ତି । ଅନ୍ୟପଟେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ କହିଛନ୍ତି ।
ନିଶା ଦ୍ୱାରା ଅନେକ ଧନ ଜୀବନ ନଷ୍ଟ ହେଉଛି । କାହିଁକି ନା ନିଶା କରିବା ପରେ ଲୋକେ ହିତାହିତ ଜ୍ଞାନ ହରାଇ ବସନ୍ତି । ଆଉ ଏହି ମଦ ଦୋକାନ ଗ୍ରାହକଙ୍କ ଅପରାଧ ପାଇଁ ଖୋରାକ ଯୋଗାଉଛି । ଯଦି ଏହି ଦୋକାନ ବନ୍ଦ କରାନଯାଏ ତେବେ ଗ୍ରାମବାସୀଙ୍କ ଆନ୍ଦୋଳନ ତୀବ୍ର ରୂପ ନେବାର ବି ସମ୍ଭାବନା ରହୁଛି ।