ଗୋଳିଆପାଣି  ସାହା ଭରଷା, ରାତି ପାହିଲେ ପାଣି ପାଇଁ ସଂଘର୍ଷ କରୁଛନ୍ତି ଲୋକେ

ରାୟଗଡ଼ା: ରାତି ପାହିଲେ ପାଣି ସଂଗ୍ରହ କରିବା ପାଇଁ ଗାଁ ଲୋକଙ୍କ ଭିତରେ ଲାଗୁଛି ଲଢ଼େଇ । ଗାଁରେ  ଦୁଇ ଦୁଇ ଗୋଟି ନଳକୂଅ ଅଛି ହେଲେ ସେଥିରୁ ବାହାରୁଥିବା ଅପରିସ୍କାର ପାଣି ପିଇବା ଯୋଗ୍ୟ ନୁହଁ । ପାଣି ପାଇଁ ଗାଁ ଲୋକ ପରସ୍ପର ଭିତରେ ଝଗଡା ନିତିଦିନିଆ ଘଟଣାରେ ପରିଣତ ହେଲାଣି  । ଗାଁ ମୁଣ୍ଡରେ ରହିଥିବା କୂଅର ଗୋଳିଆ ପାଣି ଖରାଦିନରେ ଲୋକଙ୍କ ଶୋଷ ମେଣ୍ଟାଉଛି  ।

ନଳକୂପ ଅଛି କିନ୍ତୁ ଆବଶ୍ୟକ ପରିମାଣର ପାଣି ବାହାରୁନି । ଘର ଘରକୁ ଟ୍ୟାପ ଅଛି କିନ୍ତୁ ପାଣିର ଦେଖା ନାହିଁ । ଗାଁ  ମୁଣ୍ଡରେ ଥିବା କୂଅର ଗୋଳିଆ ପାଣି ଲୋକଙ୍କ ଶୋଷ ମେଣ୍ଟାଉଛି । ପାଣି ମୁନ୍ଦାଏ ପାଇଁ ନିଜ ନିଜ ମଧ୍ୟରେ ଝଗଡା ଲାଗୁଛନ୍ତି ଲୋକେ । ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଯେତେ ଗୁହାରୀ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ ।

ରାୟଗଡା ଜିଲ୍ଲା ସଦର ବ୍ଳକ ଠାରୁ ୪୦ କିଲୋମିଟର ଦୂରରେ ରହିଛି ମୀରାବାଲି ଗାଁ । ଏହି ଗାଁରେ ସମୁଦାୟ ୩ ଟି ସାହି ରହିଛି । ଏହି ୩ ସାହିରେ ସମୁଦାୟ ୨୦୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ହାରାହାରି ୬୦୦ ରୁ ଉର୍ଦ୍ଧ ହେବ । ଏହି ୩ ସାହିର ୬୦୦ ଲୋକଙ୍କ ପାଇଁ ରହିଛି ମାତ୍ର ୩ଟି ନଳକୂପ । ହେଲେ ଭୂତଳ ଜଳସ୍ତର ହାର କମୁଥିବାରୁ ଏହି ୩ଟି ନଳକୂପରୁ ଆବଶ୍ୟକ ପରିମାଣର ପାଣି ବାହାରୁନାହିଁ ।  ଯେତିକି ପାଣି ବାହାରୁଛି ସେଥିରେ ୨୦୦ରୁ ଉର୍ଦ୍ଧ୍ୱ ପରିବାର ଚଳିବା କଷ୍ଟକର ହୋଇପଡୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଏହି ଗାଁ ନିକଟରେ କୌଣସି ନଦୀ ମଧ୍ୟ ନାହିଁ । ଯାହା ଫଳରେ ଗାଁର ଶେଷ ମୁଣ୍ଡରେ ଥିବା ଏହି କୂଅର ଗୋଳିଆ ପାଣି ଭରଷାରେ ମୀରାବାଲି ଗାଁର ୩ଟି ସାହିର ଲୋକେ ବସବାସ କରୁଛନ୍ତି ।

ଜଳ ସଙ୍କଟ ସାଙ୍ଗକୁ ଅପରିସ୍କାର ଗୋଳିଆ ପାଣି ସ୍ଥାନୀୟ ଲୋକଙ୍କୁ ସମସ୍ୟାରେ ପକାଇଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏହାକୁ ଗୁରୁତର ସହ ନେଇ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିହାତି ଜରୁରୀ ହୋଇପଡ଼ିଛି  ।

Also Read: ଉତ୍କଟ ରୂପ ନେଲାଣି ଜଳ ସଙ୍କଟ, କୂଅ ଗାଡିଆରୁ ଶୁଖିଗଲାଣି ପାଣି