ଦଲାଲ୍ ଲୋଭ ଦେଖାଇ ନେଇଗଲା ଥାଇଲାଣ୍ଡ, ହେଲେ ସେଠି କାମ କରାଇ ଦେଉନି ଦରମା; ଫେରାଇ ଆଣିବାକୁ ନିବେଦନ

ଆଳି : ମୋବାଇଲରେ ନିଜ ସ୍ୱାମୀକୁ ଦେଖୁଛି ସ୍ତ୍ରୀ । ମୁହଁକୁ ଟିକେ ଆଉଁସି ଦେଇ ଆଖିରୁ ଲୁହ ଗଡାଉଛି । ଏଇ କୁଆଡେ ଚାଲିଗଲ, କାହିଁକି ଏତେ ଦୂର ଯାଉଥିଲ ଯେ ଆଖି ବି ପାଉନି ଭାବିଲାବେଳକୁ । ପିଲାମାନେ ତୁମକୁ ଖୋଜୁଛନ୍ତି । ପଚାରୁଛନ୍ତି ବାପା କେବେ ଆସିବେ । ମୁଁ ଆଉ କଣ କହିବି ଜାଣିପାରୁନି । ପିଲାମାନଙ୍କୁ କେମିତି ବୁଝାଇବି, ତୁମ ବାପା ଫିସିକି ରହିଯାଇଛନ୍ତି, ତୁମ ପାଇଁ ପଇସା ରୋଜଗାର କରିବାକୁ ଯାଇ ସେଠାରେ ଫସି ରହିଛନ୍ତି । ଏମିତି କହି କହି ଆଖି ଓଦା ହୋଇଯାଉଛି । ଏପଟେ ଆଉ ଜଣେ ବାପା ମା ବି ଦେଖନ୍ତୁ ଦାଣ୍ଡ ପିଣ୍ଡାରେ ବସିଛନ୍ତି, କାଳେ ତାଙ୍କ ପୁଅ ଆସିଯିବ । ହେଲେ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ସୁଖିଗଲାଣି ଲୁହ । ହେଲେ ପୁଅ ଫେରୁନି । ଏମିତି ଆଉ ଜଣେ ସ୍ତ୍ରୀ, ସେ ବି ଗୁହାରୀ କରିଛନ୍ତି ତାଙ୍କ ସ୍ୱାମୀକୁ ଫେରାଇ ଆଣିବାକୁ । କହୁ କହୁ କାନ୍ଦି ପକାଉଛନ୍ତି ।
ସ୍ୱାମୀଙ୍କୁ ମାଲିକ ଛାଡୁନି, ଦରମା ଦେଉନି, ଆମେ କେମିତି ବଞ୍ଚିବୁ? କଣ ଖାଇବୁ? କେମିତି ରହିବୁ? ହଁ ଆଜ୍ଞା ଏମାନେ ସମସ୍ତେ ଏବେ ଚିନ୍ତାରେ, କାହାର ଚୁଲି ଜଳୁନି ତ କିଏ ପୁଅ ତ ଆଉ କିଏ ସ୍ୱାମୀକୁ ଚାହିଁ ରହିଛନ୍ତି । ସମସ୍ତେ ଫସି ରହିଛନ୍ତି ଥାଇଲାଣ୍ଡରେ । ଥାଇଲାଣ୍ଡରେ ଫସିରହିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରୀମିକ। ଓଡ଼ିଶା ଫେରାଇ ଆଣିବା ପାଇଁ ଏକ ଭିଡିଓ ବାର୍ତ୍ତା ଜରିଆରେ ଶ୍ରମିକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।
ଫସିରହିଥିବା ଶ୍ରମିକ ମାନଙ୍କ ଘର ରାଜକନିକା ଓ ରାଜନଗର ଅଞ୍ଚଳରେ। ଫେରିବାକୁ ଛଟପଟ ହେଉଥିବା ବେଳେ ପାଉ ନାହାନ୍ତି ବାଟ। ନା ପାଖରେ ଟଙ୍କା ଅଛି ନା ଅଛି ଭିସା। ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଛନ୍ତି। ଏହି ଶ୍ରମିକମାନେ ରାଜକନିକା ଓ ରାଜନଗର ଅଞ୍ଚଳର ହୋଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ଗତ ୬ ମାସ ତଳେ ଏକ ପ୍ଲାଏବୋର୍ଡ କମ୍ପାନୀରେ କାମ କରିବାକୁ ଦଲାଲ ଜରିଆରେ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ଯାଇଥିଲେ। ହେଲେ ସେଠାରେ କାମ କରିବା ପରେ ସେମାନଙ୍କୁ ସଠିକ୍ ପାରିଶ୍ରମିକ ମିଳିଲାନାହିଁ। ଏପରିକି କମ୍ପାନୀ କର୍ତ୍ତୃପକ୍ଷ ନାନା ହଇରାଣ ହରକତ କରୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି।
ବଡ଼ କଥା ହେଉଛି, ଇତିମଧ୍ୟରେ ସଂପୃକ୍ତ ଓଡ଼ିଆ ଶ୍ରମିକଙ୍କ ଭିସା ଅବଧି ବି ସରିଯାଇଛି। ଭିସା ଅବଧି ବଢାଇବାକୁ ନା କମ୍ପାନୀ କର୍ତ୍ତୃପକ୍ଷ ରାଜି ହେଉଛନ୍ତି ନା ପାରିଶ୍ରମିକ ଦେଉଛନ୍ତି। ଫଳରେ ପୁଲିସ୍ ଭୟରେ ଥାଇଲାଣ୍ଡରେ ଏଣେ ତେଣେ ଲୁଚି ରହୁଥିବା କହିଛନ୍ତି ସମସ୍ତ ଶ୍ରମିକ। ସୋଶିଆଲ ମିଡିଆରେ ଭିଡ଼ିଓ ଜାରି କରି ସହଯୋଗ ଲୋଡ଼ିଛନ୍ତି ସମସ୍ତେ।