ବଜାରରୁ ଆଳୁ ଗାଏବ୍ ! ସରକାରଙ୍କ ହସ୍ତକ୍ଷେପ ପରେ ବି ଦରରେ ଲାଗୁନି ଲଗାମ୍

ଭୁବନେଶ୍ୱେର : ଅଣାୟତ୍ତ ଆଳୁ ଦର । ହୁ ହୁ ହୋଇଛି ବଢୁଛି ଆଳୁ ରେଟ । ରାଜ୍ୟରେ ଏବେ ଗୋଦାମ ଖାଲି ପଡୁଛି । ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ବନ୍ଦ ପରେ ରାଜ୍ୟରେ ଗମ୍ଭୀର ହେଲାଣି ଆଳୁ ସଂକଟ । ରାଜ୍ୟର ବିଭିନ୍ନ ସ୍ଥାନରେ ଖୁଚୁରା ବଜାରରେ ଆଳୁ ଦର କିଲୋ ୫୦ରୁ ୬୦ ଟଙ୍କା ରହିଛି । କେବେ ସ୍ବାଭାବିକ ହେବ ସ୍ଥିତି, ଚିନ୍ତାରେ ପଡିଛନ୍ତି ଖାଉଟି । ଭୁବନେଶ୍ବର ବଜାରରେ ଆଳୁ ଏକ ପ୍ରକାର ଉଭାନ୍ ହୋଇଗଲାଣି । ହାତ ଗଣତି କିଛି ଦୋକାନରେ ବିକ୍ରି ହେଉଛି ଆଳୁ । ପରିବା ବୋଝେଇ ଟ୍ରକରେ ଆସୁଛି ଆଳୁ । ପ୍ରତ୍ୟେକ ଦିନ ୫ ହଜାର ଟନ୍ ଆଳୁର ଆବଶ୍ୟକତା ପଡୁଥିବା ବେଳେ ଗୋଦାମରେ ଆଉ ମହଜୁଦ୍ ନାହିଁ । ଜୁଲାଇ ୨୧ରୁ ପଶ୍ଚିମବଙ୍ଗରୁ ଆଉ ସ୍ୱାଭାବିକ ଭାବେ ଆଳୁ ଆସୁ ନାହିଁ । ଆଳୁ ସହ ପରିବା ଦର ବି ବଢୁଛି ।

ମନ୍ତ୍ରୀ କହୁଛନ୍ତି ଆଳୁ କିଲୋ ୩୫ ଟଙ୍କାରେ ବିକ୍ରି ହେଉଛି, ହେଲେ ବିଭିନ୍ନ ଜିଲ୍ଲାରେ ଆଳୁ କିଲୋପିଛା ଦର :
କଟକ- ୬୦ ଟଙ୍କା
ଢେଙ୍କାନାଳ- ୫୦ ଟଙ୍କା
ବାଲେଶ୍ୱର- ୪୫ ଟଙ୍କା
ପୁରୀ- ୫୦ ଟଙ୍କା
ସମ୍ୱଲପୁର- ୪୫ଟଙ୍କା

ଅନ୍ୟପଟେ ଆଳୁ ସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ବିକଳ୍ପଭାବେ ଉତ୍ତରପ୍ରଦେଶରୁ ଆଳୁ ମଗାଉଛନ୍ତି। ମାତ୍ର ଉତ୍ତରପ୍ରଦେଶରୁ ଆସୁଥିବା ଆଳୁକୁ ନେଇ ବ୍ୟବସାୟୀମାନେ ଖୁସି ନୁହନ୍ତି। ପଶ୍ଚିମବଙ୍ଗ ଆଳୁ ତୁଳନାରେ ଦର ଅଧିକ ହେବା ସହ ଏହା ଶୀଘ୍ର ପଚି ଯାଉଥିବା ଅଭିଯୋଗ ହେଉଛି। ମାତ୍ର ରାଜ୍ୟ ସରକାର ଏହାକୁ ବାରମ୍ବାର ଖଣ୍ଡନ କରୁଛନ୍ତି। ଏପରିକି ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଅଣାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.