ସମସ୍ୟା ଭୋଗୁଛନ୍ତି ପିପିଲି ବାସିନ୍ଦା, ଅଭିଯୋଗ ପରେ ବି ହେଉନି ସମାଧାନ

ଲୋକମାନଙ୍କୁ ମିଳୁନାହିଁ ମୌଳିକ ସମସ୍ୟା । ଶୌଚାଳୟ ଠାରୁ ଆରମ୍ଭ କରି ରାସ୍ତାଘାଟ ଏପରିକି ପରିମଳ ବ୍ୟବସ୍ଥା କଥା ନ କହିବା ଭଲ । ଯେତେ ଅଭିଯୋଗ କଲେ ମଧ୍ୟ ଫଳ ଶୂନ । ପିପିଲି ଏନଏସିରେ ଏପରି ସମସ୍ୟା ଲାଗି ରହିଛି । ପ୍ରକୃତରେ କିଭଳି ବିକାଶ ହେଉଛି ତାହା ଏହି ସ୍ଥାନକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ଦୁଇ ବର୍ଷ ଧରି କୌଣସି କାର୍ଯ୍ୟ ସଠିକ୍ ଭାବରେ ହେଉନାହିଁ । ମୁକ୍ତା ଯୋଜନାରେ ୩ ଲକ୍ଷ ୫୮ ହଜାର ଟଙ୍କା ବିନିମୟରେ ନିର୍ମାଣ କରାଯାଇଥିବା ଶୌଚାଳୟ ଲୋକମାନଙ୍କ କାର୍ଯ୍ୟରେ ଆସିପାରୁନାହିଁ । ଯେଉଁଠି ଲୋକମାନଙ୍କ ଆବଶ୍ୟକତା ରହିଛି ସେଠାରେ କାର୍ଯ୍ୟ ନହୋଇ ଅନ୍ୟତ୍ର ହେଉଥିବାର ଅଭିଯୋଗ କରିଛନ୍ତି ୱାର୍ଡ଼ବାସୀ ।
ମୁକ୍ତା ଯୋଜନାରେ ହୋଇଥିବା କାର୍ଯ୍ୟ ଗୁଡ଼ିକ ସଠିକ୍ ଭାବରେ ହୋଇ ନଥିବାବେଳେ ୪ନମ୍ୱର ଏବଂ ୫ ନମ୍ୱର ୱାର୍ଡ଼ରେ କରାଯାଉଥିବା ଜନହିତକର ଯୋଜନା ଲୋକମାନଙ୍କ ନିକଟରେ ଅପହଂଚ ହୋଇ ପଡ଼ିଛି । ତେବେ ଯେଉଁଠି କାମ ସଠିକ୍ ଭାବରେ ହୋଇ ପାରୁନାହିଁ ସେ ସ୍ଥାନକୁ ପରିଦର୍ଶନ କରିବା ସହିତ ଯଦି କାମ ନିମ୍ନମାନର ହୋଇଥାଏ ତେବେ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଲୋକମାନଙ୍କ ସମସ୍ୟାକୁ ଦୂର କରାଯିବ ବୋଲି ପିପିଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧୀକାରୀ ସରୋଜ କୁମାର ଆଚାର୍ଯ୍ୟ କହିଛନ୍ତି । ଆଗାମୀ ଦିନରେ ଲୋକମାନଙ୍କ ସମସ୍ୟାକୁ ନିଶ୍ଚିତ ଭାବରେ ସାମଧାନ କରାଯିବ ବୋଲି କହିଛନ୍ତି ବିଧାୟକ ।
ଲୋକମାନଙ୍କ ପାଇଁ କରାଯାଉଥିବା ଜନହିତକାରୀ ଯୋଜନା ଗୁଡ଼ିକ ଏବେ ସେମାନଙ୍କ ପାଇଁ ଅପହଂଚ। ପ୍ରଶାସନ ଲୋକମାନଙ୍କ ସମସ୍ୟାକୁ ଯଥାଶୀଘ୍ର ଦୂର କରିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଲୋକେ ।