ପିଇବା ପାଣି ପାଇଁ ପ୍ରତିଯୋଗିତା, ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରୁଛି ଅସହ୍ୟ ତାତି ସାଙ୍ଗକୁ ଜଳ କଷ୍ଟ

ଅନୁଗୁଳ: ଅସହ୍ୟ ତାତିରେ ଆଉଟୁ ପାଉଟୁ ଲୋକେ । ଅନୁଗୋଳରେ ପାରଦର ମାତ୍ରା ଯେତିକି ବଢୁଛି ଲୋକଙ୍କ ଜନ ଜୀବନ ଉପରେ ଏହାର ପ୍ରଭାବ ମଧ୍ୟ ସେତିକି ପଡୁଛି । ଅସହ୍ୟ ତାତି ସାଙ୍ଗକୁ ଜଳ କଷ୍ଟ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରୁଛି । ଘରେ ଘରେ ପାଇପ ବିଛା ଯାଇଛି, ପାଣି ଟ୍ୟାପ ଲାଗିଛି କିନ୍ତୁ ପାଣି ଆସୁନି । ସପ୍ଲାୟ ପାଣି ଯୋଗାଯାଉଛି ସତ କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ବସୁଧା ଯୋଜନାରେ ପ୍ରତ୍ୟକ ଘର ଆଗରେ ଲାଗିଛି ଷ୍ଟାଣ୍ଡ ପୋଷ୍ଟ ଓ ପାଇପ ଲାଇନ । ହେଲେ ସେସବୁ ଅଚଳ ହୋଇପଡିଛି ।

ଗାଁରେ ଥିବା ଚାରିଟି ନଳକୂପ ମଧ୍ୟରୁ ଦୁଇଟି ଅଚଳ ହୋଇପଡିଛି । ଦୁଇ ଗୋଟି ନଳକୂପରୁ ଭଲରେ ପାଣି ବାହାରୁନାହିଁ । ଏପରି ସ୍ଥିତିରେ ପାଣି ପାଇଁ ଆଉଟୁପାଉଟୁ ହେଉଛନ୍ତି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ସୁବର୍ଣ୍ଣପୁର ଗାଁ ଲୋକେ । ପ୍ରତିଦିନ ସକାଳୁ ମହିଳାମାନେ ଗାଁ ଠାରୁ ଗୋଟିଏ କିଲୋମିଟର ଚାଲି ଚାଲି ଯାଇ ପାଣି ଆଣି ଚଳୁଛନ୍ତି । ତାହା ପୁଣି ଗୋଟିଏ କୂଅ ଉପରେ ଦୁଇ ହଜାର ଲୋକ ନିର୍ଭର କରୁଥିବାରୁ କୂଅ ପାଖରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ନେଇ ଲୋକେ କହିଛନ୍ତି ।

ଅସହ୍ୟ ଜ୍ୱାଳାରେ ସିଝୁଛନ୍ତି ଅନୁଗୋଳ ବାସୀ । ଦିନ ଯେତିକି ବଢୁଛି ପାରଦର ମାତ୍ରା ସେତିକି ସେତିକି ବଢୁଛି । ଗୋଟିଏ ପଟେ ଅସହ୍ୟ ତାତି ଅନ୍ୟପଟେ ଜଳକଷ୍ଟ ଲୋକଙ୍କ ଜନଜୀବନକୁ ଦୁର୍ବିସହ କରିଦେଇଛି । ଅନୁଗୋଳରେ ବିଭିନ୍ନ ରାଷ୍ଟ୍ରୟତ ଉଦ୍ୟୋଗ ସହ ବିଭିନ୍ନ କୋଇଲା ଖଣି ଯୋଗୁଁ ପାରଦର ମାତ୍ରା ବୃଦ୍ଧି ପାଉଛି । କଂକ୍ରିଟ ଜଙ୍ଗଲ ସୃଷ୍ଟି ପାରଦ ମାତ୍ରା ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ ପାଲଟିଛି । ଉପରେ ଅନୁଗୋଳର ସୁବର୍ଣ୍ଣପୁର ଗାଁରେ ଜଳକଷ୍ଟ । ପିଇବା ପାଣି ପାଇଁ ଲୋକଙ୍କ ଭିତରେ ଚାଲିଛି ପ୍ରତିଯୋଗୀତା ।

ଏ ସମସ୍ୟା ଆଜିର ନୁହେ ଏହି ଗାଁରେ ବର୍ଷ ବର୍ଷ ଧରି ଲାଗି ରହିଛି ପାଣି ସମସ୍ୟା । ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଅଚଳ ହୋଇପଡିଥିବାରୁ ଲୋକେ କୂଅ, ପୋଖରୀର ଦୂଷିତ ପାଣି ପିଉଛନ୍ତି । ଜଳ ସମସ୍ୟାର ସମାଧାନ ନିମନ୍ତେ ଗ୍ରାମବାସୀ ଅନେକ ଥର ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ଉପଜିଲ୍ଲାପାଳ କହିଛନ୍ତି ଏ ଦିଗରେ ପଦକ୍ଷେପ ନିଆଯାଇ ତ୍ୱରିତ ସମସ୍ୟାର ସମାଧାନ କରାଯିବ ।

Also read: ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡେ ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ