ଓଡିଶାରେ ବଢିଛି ମୁଣ୍ଡ ପିଛା ଋଣ, ବିଧାନସଭାରେ ତଥ୍ୟ ରଖିଲେ ଅର୍ଥମନ୍ତ୍ରୀ
କେନ୍ୟୁଜ୍(ବ୍ୟୁରୋ): ଓଡିଶା ଏବେ ଋଣ ଭାରରେ ଉବୁଟୁବୁ। ମୁଣ୍ଡ ପିଛା ବଢିଛି ଋଣ ଭାର। ଏହି ତଥ୍ୟ ଦଇେଛନ୍ତି ଖୋଦ୍ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀଙ୍କ ଲିଖିତ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ। ବିଧାୟକ ଦେବୀ ରଞ୍ଜନ ତ୍ରୀପାଠୀଙ୍କ ପ୍ରଶ୍ନ ଥିଲା- ରାଜ୍ୟର ମୋଟ ଋଣ ଭାର ବର୍ତ୍ତମାନ କେତେ ଅଛି? ଓ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ଆକଳନ କେତେ ହେବ ବୋଲି ଅନୁମାନ କରାଯାଉଛି ?, ସର୍ବଶେଷ ହିସାବ ଅନୁଯାୟୀ ଓଡିଶାରେ ମୁଣ୍ଡପିଛା ହାରାହାରି ଋଣ ପରିମାଣ କେତେ ବୋଲି ଅର୍ଥମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।
ଏହାର ଉତ୍ତରରେ ଅର୍ଥମନ୍ତ୍ରୀ କହିଥିଲେ ମହାଲେଖାକାଗାରଙ୍କଠାରୁ ମିଳିଥିବା ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ୨୦୧୯ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୮୪,୬୭୬,୩୫ କୋଟି ଟଙ୍କା ଅଛି। ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ଏହାର ପରିମାଣ ୧,୦୬,୫୨୬,୮୬ କୋଟି ଟଙ୍କା ହେବ ବୋଲି ବଜେଟରେ ଆକଳନ କରାଯାଇଅଛି। ୨୦୧୯ ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ମୁଣ୍ଡ ପିଛା ଋଣ ଭାର ୧୮୪୯୭.୫୯ ଟଙ୍କା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।