ରାଜଧାନୀରେ ଅମାନିଆ ମଶା: ବଡ଼ଗଡ଼ରେ କରୁଛନ୍ତି ଉତ୍ପାତ, ସାନ୍ଦ୍ରତା ୧୬୦ ପାର୍‌

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଅମାନିଆ ମଶା। ମାନୁନାହାନ୍ତି ବାଡବତା। ବିଭିନ୍ନ ସ୍ଥାନରେ ବଢି ଚାଲିଛି ଏହି ମଶା ମାନଙ୍କର ପ୍ରାର୍ଦୁଭାବ । ଏହି ଲିଷ୍ଟରେ ସବୁଠୁ ଆଗରେ ରାଜଧାନୀର ବଡ଼ଗଡ଼ ଅଞ୍ଚଳ। ଏହି ଅଞ୍ଚଳ ବାସୀଙ୍କୁ ଏମିତି କଲବଲ କରୁଛନ୍ତି ମଶା, ନା ଟିକେ ଶାନ୍ତିରେ ଲୋକେ ଶୋଇ ପାରୁଛନ୍ତି ନା ଉଠି ବସି ପାରୁଛନ୍ତି। ସଂଧ୍ୟା ହେଉ ହେଉ ଏଠାକାର ବାସିନ୍ଦା ଝରକା, କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି।

ମିଳିଥିବା ସୂଚନାନୁସାରେ, କିଛି ଦିନ ତଳେ ବଡ଼ଗଡ଼ ଗ୍ରାମରେ ମଶାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ଯାହା ଖବର ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଠାରେ ଏକ ସର୍ବେକ୍ଷଣ କରାଯାଇଥିଲା। ତେବେ ରିପୋର୍ଟରୁ ଜଣାପଡିଛି ପୂରା ରାଜଧାନୀ‌ରେ ମଶାଙ୍କ ସାନ୍ଦ୍ରତା ବା ଘନତ୍ବ ୮୦ ରହିଥିବା ବେଳେ କେବଳ ବଡ଼ଗଡ଼ରେ ଏହା ୧୬୦ ଟପି ଯାଇଛି।

ଜାତୀୟ ବାତଜ୍ୱର ନିରାକରଣ କାର୍ଯ୍ୟକ୍ରମର ମାନଦଣ୍ଡ ଅନୁସାରେ ପ୍ରତି ୧୦ ମ୍ୟାନ୍‌-ଆୱାର ଡେନ୍‌ସିଟି(ସାନ୍ଦ୍ରତା) ଅନୁସାରେ ୫୦ରୁ କମ୍‌ ମଶା ରହିବା କଥା। ସାନ୍ଦ୍ରତା ୫୦ରୁ ଅଧିକ ଓ ୬୫ରୁ କମ୍‌ ରହିଲେ, ଏହାକୁ ମଧ୍ୟମ ବୋଲି ଧରାଯାଇଥାଏ। ଏହା ଉପରକୁ ରହିଲେ ତାହାକୁ ଉଦ୍‌ବେଗଜନକ ବୋଲି ଧରାଯାଏ। କିଛି ଦିନ ତଳେ ରାଜଧାନୀର ବିଭିନ୍ନ ୱାର୍ଡରେ ହୋଇଥିବା ସର୍ଭେରେ ମଶାଙ୍କ ସାନ୍ଦ୍ରତା ୮୦ରୁ ୧୦୦ ମଧ୍ୟରେ ଥିବା ବେଳେ ବଡ଼ଗଡ଼ ଗ୍ରାମ (ୱାର୍ଡ ୪୪)ରେ ଏହା ୧୬୦ ଛୁଇଁଛି।

ଯଦିଓ ଏ ଅଞ୍ଚଳରେ ଡେଙ୍ଗୁ ସୃଷ୍ଟିକାରୀ ଏଡିସ୍‌ କିମ୍ବା ମ୍ୟାଲେରିଆ ସୃଷ୍ଟିକାରୀ ଏନୋଫୋଲିସ ମଶା ମିଳିନାହାନ୍ତି, କିନ୍ତୁ ଫାଇଲେରିଆ ରୋଗ ସୃଷ୍ଟିକାରୀ କ୍ୟୁଲେସ ଓ ଆଲଜାରିସ ମଶାଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାନଗଲେ, ଆଗାମୀ ଦିନରେ ସାନ୍ଦ୍ରତା ୨୦୦ ପାର୍‌ ହୋଇଯିବ ବୋଲି କୁହାଯାଉଛି।

ଏହି ଅଞ୍ଚଳକୁ ଲାଗି ଗୋଟିଏ ପଟେ ଦୟାୱେଷ୍ଟ ଓ ଆଉ ଗୋଟିଏପଟେ ଗଙ୍ଗୁଆ ନାଳ ପ୍ରବାହିତ ହୋଇଛି। ସହର ଯାକର ଅଧାରୁ ଅଧିକ ଆବର୍ଜନା ପଡ଼ୁଥିବା ଏହି ଦୁଇ ନାଳ କାହିଁ କେଉଁ କାଳରୁ ସଫା ହୋଇନାହିଁ। ଏହା ସାଙ୍ଗକୁ ଗାଁ ମଝିରେ ନୂଆସାହି ପୋଖରୀ, ଡୁବି ଗାଡ଼ିଆ, ଗୋପାଳୁଣୀ ଗାଡ଼ିଆ ଭଳି ଅନେକ ପରିତ୍ୟକ୍ତ ଜଳାଶୟ ରହିଛି। ଏସବୁ ଜଳାଶୟ ଏଠାରେ ମଶାବଂଶ ବୃଦ୍ଧି କରିବାରେ ସହାୟ ହେଉଥିଲେ ମଧ୍ଯ ବିଏମ୍‌ସି ପକ୍ଷରୁ କୌଣସି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉନାହିଁ। କେବଳ ନାଁକୁ ମାତ୍ର ଦୁଇ ତିନିଥର ମଶାଧୂଆଁ ଛଡାଯାଉଛି।

ବିଶେଷଜ୍ଞଙ୍କ କହିବା କଥା, ମଶା ଧୂଆଁ ଛଡ଼ା ହେବା ଦ୍ବାରା ଅଳ୍ପ କିଛି ମଶା ମରିଥାଆନ୍ତି। ଆଉ ଜୀବନ ବଞ୍ଚାଇବାକୁ ମଶା ଲୋକଙ୍କ ଘର ଭିତରକୁ ପଶି ଯାଆନ୍ତି। ତେଣୁ ଏହାଦ୍ବାରା ବିଶେଷକିଛି ଲାଭ ମିଳି ନଥାଏ। ତେବେ ଏଥିପାଇଁ କିଛି ବଡ ପଦକ୍ଷେପ ନିଆଯିବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.